ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ‘ମୋ ଘର’ ନାମରେ ଏକ ନୂଆ ଜନକଲ୍ୟାଣକାରୀ ଯୋଜନା ଉପରେ କ୍ୟାବିନେଟ ମୋହର ବାଜିଛି। ଏହି ନୂଆ ‘ମୋ ଘର’ ଯୋଜନା ଅଧିନରେ ସରକାର ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଘର ତିଆରି ପାଇଁ ସହାୟତା ପ୍ରଦାନ କରିବେ।
ମୋ ଘର’ ଯୋଜନାରେ ଲୋକମାନଙ୍କୁ ଘର ପାଇଁ ସବସିଡି ଋଣ ଯୋଗାଇ ଦିଆଯିବ । ଏହି ଯୋଜନାରେ ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ ଦେଇ ପରବର୍ତ୍ତୀ ୧୦ ବର୍ଷ ମଧ୍ୟରେ ସେମାନଙ୍କୁ ଋଣ ପରିଶୋଧ କରିବାକୁ ପଡ଼ିବ ।
ବଡ଼କଥା ହେଲା, ଏହି ଯୋଜନାରେ ୩୦ ହଜାରରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ସବସିଡି ବ୍ୟବସ୍ଥା ରହିଛି । ୧ ଲକ୍ଷ ପର୍ଯ୍ୟନ୍ତ ଋଣରେ ସାଧାରଣ ବର୍ଗଙ୍କୁ ୩୦ ହଜାର ଏବଂ ଅନ୍ୟମାନଙ୍କୁ ୪୦ ହଜାର ଟଙ୍କା ସବସିଡି ମିଳିବ । ୧.୫ ଲକ୍ଷ ଋଣରେ ସାଧାରଣ ବର୍ଗଙ୍କୁ ୪୫ ହଜାର ଏବଂ ଅନ୍ୟମାନଙ୍କୁ ୫୫ ହଜାର ସବସିଡି ଦିଆଯିବ । ୨ ଏବଂ ୩ ଲକ୍ଷ ଟଙ୍କା ଋଣରେ ସାଧାରଣ ବର୍ଗଙ୍କୁ ୬୦ ହଜାର ଏବଂ ଅନ୍ୟମାନଙ୍କୁ ୭୦ ହଜାର ଟଙ୍କା ସବସିଡି ମିଳିବ ।
ଏହି ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟତାର ମାନଦଣ୍ଡ ହେଉଛି-
(୧) ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ବାସ କରୁଥିବେ
(୨) ସରକାରଙ୍କଠାରୁ କୌଣସି ଗୃହ ନିର୍ମାଣ ଯୋଜନା ଅଧୀନରେ ସହାୟତା ପାଇ ନ ଥିବେ ଅଥବା ୭୦ ହଜାର ଟଙ୍କାରୁ କମ ପରିମାଣର ସହାୟତା ପାଇଥିବେ
(୩) ପରିବାରର ମାସିକ ଆୟ ୨୫ ହଜାରରୁ କମ୍ ଥିବ
(୪)ବ୍ୟକ୍ତିଗତ ବ୍ୟବହାର ପାଇଁ ୪ ଚକିଆ ଯାନ ନ ଥିବ
(୫) ସରକାରୀ କର୍ମଚାରୀ କିମ୍ବା ପେନସନଭୋଗୀ ହୋଇନଥିବେ
(୬) ୫ ଏକର ଜଳସେଚିତ କିମ୍ବା ୧୫ ଏକର ଅଣଜଳସେଚିତ ଜମିରୁ କମ୍ ଜମି ଥିବ ।
ରାଜ୍ୟ ସରକାର ୨୦୧୯ ନିର୍ବାଚନ ପରେ ରାଜ୍ୟର ସବୁ ଲୋକଙ୍କ ମୁଣ୍ଡ ଉପରେ ପକ୍କର ଛାତ ନେଇ ଘୋଷଣା କରିଥିଲେ। ଯାହା ବର୍ତ୍ତମାନ କିଛି ମାତ୍ରାରେ ପୂରଣ ହୋଇଥିବା ବେଳେ ଏହି ନୂଆ ଯୋଜନା ‘ମୋ ଘର’ ମାଧ୍ୟମରେ ବାକି ଲୋକଙ୍କୁ ପକ୍କା ଘର ଯୋଗାଇ ଦିଆଯିବ।

