ସାକାର ହୋଇଛି ସ୍ୱପ୍ନ । ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଭାରତ ଚନ୍ଦ୍ରରେ ନାଁ ଲେଖିଛି ଭାରତ । ଇସ୍ରୋ ବୈଜ୍ଞାନିକଙ୍କ ସମସ୍ତ ପ୍ରଚେଷ୍ଠା ଓ ପରିଶ୍ରମର ଫଳ ଆଜି ଦେଶବାସୀଙ୍କୁ ମିଳିଛି । ଇସ୍ରୋ ବୈଜ୍ଞାନିକଙ୍କୁ ନେଇ ସାରା ଦେଶ ଗର୍ବ କରୁଥିବା ବେଳେ ପ୍ରଶଂସାରେ ପୋତି ପକାଇଛି ବିଶ୍ୱ ଓ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ କରିଛି ସଫ୍ଟ ଲ୍ୟାଣ୍ଡିଂ। ଏହି ସଫଳତା ପରେ ଭାରତର ଚନ୍ଦ୍ରଯାତ୍ରା ସ୍ୱପ୍ନ ସାକାର ହୋଇଛି। ଆଉ ବିଶ୍ୱର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିଛି ଭାରତ।
ଭାରତର ୪୦ ଦିନର ଅପେକ୍ଷା ଶେଷରେ ଶେଷ ହୋଇଛି। ପୃଥିବୀରୁ ଚନ୍ଦ୍ର ପର୍ଯ୍ୟନ୍ତ ୩.୮୪ ଲକ୍ଷ କିଲୋମିଟର ଯାତ୍ରା କରିବା ପରେ ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମ ସଫଳତାର ସହିତ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଛି। ଏହା ସହିତ ରୁଷ, ଆମେରିକା ଏବଂ ଚୀନ୍ ପରେ ଚନ୍ଦ୍ର ଉପରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ହୋଇପାରିଛି। ଏଥି ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାରେ ବିଶ୍ୱର ପ୍ରଥମ ଦେଶ ହୋଇପାରିଛି ଭାରତ।
ଚନ୍ଦ୍ରପୃଷ୍ଟରେ ଚନ୍ଦ୍ରଯାନ-୩ ସଫଳତାର ସହ ଅବତରଣ କରିବା ପରେ ଏବେ ଚନ୍ଦ୍ରରେ ଥିବା ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚନ ହେବ ବୋଲି ଆଶା କରାଯାଉଛି । ଚନ୍ଦ୍ରର ମାଟି, ଜଳ ଓ ଜୀବନର ସନ୍ଧାନ କରିବାରେ ବୈଜ୍ଞାନିକମାନଙ୍କୁ ଏବେ ସହଜ ହେବ । ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଟରେ ଥିବା ସମସ୍ତ ରହସ୍ୟକୁ ଉନ୍ମୋଚନ କରିବା ସହ ଏହାର ତଥ୍ୟ ଭାରତକୁ ପ୍ରଦାନ କରିବ। ବର୍ତ୍ତମାନ ସମସ୍ତଙ୍କ ନଜର ରୋଭର ଉପରେ ଅଛି। ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି। ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଇସ୍ରୋ ଆଶା କରୁଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ସୂଚନା ପଠାଇବ। ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ। ସେହିପରି ଏହି ସଫଳତା ମଧ୍ୟ ମହାସାଗରର ଉତ୍ପତ୍ତି ବିଷୟରେ ସୂଚନା ଦେଇପାରେ।
ସଫଳ ହୋଇଛି ଭାରତର ଚନ୍ଦ୍ର ଅଭିଯାନ। ଯେଉଁ ମୂହୁର୍ତକୁ ସାରା ଦେଶ ଅପେକ୍ଷା କରିଥିଲା, ସଫଳତା ପାଇଁ ପ୍ରାର୍ଥନା କରୁଥିଲା, ସେଇ ମୂହୁର୍ତରେ ସଫଳତା ସହ ଇତିହାସ ରଚିଛି ଭାରତ । ଚନ୍ଦ୍ରରେ ଉଡିଛି ତ୍ରିରଙ୍ଗା । ଜହ୍ନ ମାମୁଁ ଘରେ ପହଂଚି ଯାଇଛି ଭାରତ । ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିଛି ଚନ୍ଦ୍ରଯାନ-୩ ଏବଂ ଚନ୍ଦ୍ରକୁ ପହଁଚିବାରେ ପୃୃଥିବୀର ଚତୁର୍ଥ ଦେଶର ମାନ୍ୟତା ହାସଲ କରିଛି । ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

