ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୭ଟି ପ୍ରସ୍ତାବ ସ୍ୱାସ୍ଥ୍ୟ, ଶିକ୍ଷା, ଲୋକସମ୍ପର୍କ , ରାଜସ୍ୱ ଓ ସାଧାରଣ ପ୍ରଶାସନ ପରି ବିଭାଗର ବିଭିନ୍ନ ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି।
ରାଜ୍ୟ କ୍ୟାବିନେଟ ରାଜସ୍ବ ବିଭାଗର ୩ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏଥି ସହିତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଶିକ୍ଷକଙ୍କ ଦରମାରେ ପରିବର୍ତ୍ତନ କରାଯିବା ନେଇ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ଏଥି ପାଇଁ ରାଜ୍ୟ ସରକାର ୫୦୦ କୋଟି ଖର୍ଚ୍ଚ କରିବେ।ଏଥିରେ ୧ ଲକ୍ଷ ୪ ହଜାରରୁ ଅଧିକ ଶିକ୍ଷକ ଉପକୃତ ହେବେ। ଏହା ସହ କ୍ୟାଡରରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସରକାରୀ ଅନୁଦାନ ପ୍ରାପ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଅବସର ପ୍ରାପ୍ତ ଶିକ୍ଷକ ମାନଙ୍କ ପାଇଁ ଏକ କାଳିନ ୬ ଲକ୍ଷ ଓ ଅଣ କର୍ମଚାରୀଙ୍କ ପାଇଁ ୪ ଲକ୍ଷ ଟଙ୍କାର ଅନୁଦାନ ଦେବାକୁ କ୍ୟାବିନେଟ ଅନୁମୋଦନ ମିଳିଛି । ଏହାସହ ବ୍ଲକ ଗ୍ରାଣ୍ଟ ସାମିଲ ହୋଇଥିବା କଲେଜରୁ ଅବସରପ୍ରାପ୍ତ ଅଧ୍ୟାପକ ମାନଙ୍କୁ ଏକ କାଳିନ ୧୦ ଲକ୍ଷ ଏବଂ କର୍ମଚାରୀ ମାନଙ୍କୁ ମିଳିବ ପାଞ୍ଚ ଲକ୍ଷ୍ୟ ଟଙ୍କା । ଏଥିରେ ୯୫୨ ଅଧ୍ୟାପକ ଓ ୧୦୨୫ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବେ ୧୪୯ କୋଟି ୪୫ ଲକ୍ଷ ଟଙ୍କା।
ଅନ୍ୟପଟେ ଏଲିମେଣ୍ଟାରୀ ଶିକ୍ଷକ କ୍ୟାଡର ପୁନର୍ଗଠିତ ହେବା ନେଇ ମଧ୍ୟ କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି। ସେହିପରି ନୂଆ ଓ ଛାତ୍ର ବୃତ୍ତି ଯୋଜନାରେ ଉଚ୍ଚ ଶିକ୍ଷା ବିଭାଗ ସହିତ ଅନ୍ୟ ବିଭାଗର ୟୁଜି ଓ ପିଜି ଛାତ୍ରଙ୍କୁ ବୃତ୍ତି ପ୍ରଦାନ ପାଇଁ ଅନୁମୋଦନ ମିଳିଛି । ପୂର୍ବରୁ ଉଚ୍ଚ ଶିକ୍ଷା ବିଭାଗର ଛାତ୍ରଛାତ୍ରୀଙ୍କୁ ବୃତ୍ତି ମିଳିବାର ବ୍ୟବସ୍ଥା ଥିବା ବେଳେ କୃଷି, ସଂସ୍କୃତି ଓ ସ୍ବାସ୍ଥ୍ୟ ଭଳି ବିଭାଗ ଅଧିନରେ ପଢୁଥିବା ୟୁଜି ଓ ପିଜି ଛାତ୍ରଙ୍କୁ ଏହି ସୁବିଧା ମିଳିବ ।
ସେହିପରି ରାଜ୍ୟରେ ନୂଆ ବିମାନବନ୍ଦର କାର୍ଯ୍ୟକ୍ଷମ ହେବା ସହିତ ନୂଆ ନୂଆ ସ୍ଥାନକୁ ବିମାନ ଚଳାଚଳ ଆରମ୍ଭ ହେଉଛି। ତେବେ କେବଳ ବିମାନ ଚାଳନା ନୁହେଁ, ଏହି କ୍ଷେତ୍ରରେ କିପରି ସୁରକ୍ଷା ସୁନିଶ୍ଚିତ କରାଯିବ ସେନେଇ ଢେଙ୍କାନାଳ ବିରାଶାଳରେ ସ୍ଥାପନ ହେବ ବିଜୁ ପଟ୍ଟନାୟକ ଆଭିଏସନ ସେଣ୍ଟର। ଏଠାରେ ବିମାନ ଚାଳନା ସହ ସମ୍ପୃକ୍ତ ପ୍ରତ୍ୟେକ ଅଂଶୀଦାର ବିଭାଗର କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ପାଇଲଟ୍, କ୍ୟାବିନ କ୍ରୁ ଆଦି ବିଭିନ୍ନ ପ୍ରକାର ଟ୍ରେନିଂ ଦିଆଯିବ । ଆଭିଏସନ ସେଣ୍ଟର ପାଇଁ ୫୬୨ କୋଟି ଟଙ୍କା ବ୍ୟୟ ହେବ।
ଅନ୍ୟପଟେ ସବୁ ବ୍ଲକ ଓ ସବଡିଭିଜନରେ ଅତ୍ୟାଧୁନିକ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଆମ ବସଷ୍ଟାଣ୍ଡ ଯୋଜନାରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ମୋଟ ୩୧୮ ବସଷ୍ଟାଣ୍ଡ ନିର୍ମାଣ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୫ , ଦ୍ବିତୀୟ ପର୍ଯ୍ୟାୟରେ ୧୩୩ ଓ ତୃତିୟ ପର୍ଯ୍ୟାୟରେ ୧୩୦ ବସଷ୍ଟାଣ୍ଡ ନିର୍ମାଣ ହେବ।
ସେହିପରି ଭୁବନେଶ୍ବର ଚନ୍ଦ୍ରଶେଖରପୁର ମୌଜାରେ ଗୋପାଳ ଭବନ ପାଇଁ ୫ ଶହ ଡିସିମିଲ ଜମି ମାଗଣାରେ ପ୍ରଦାନ କରାଯାଇଛି । ମୁସଲିମ ସମ୍ପ୍ରଦାୟର ପ୍ରାର୍ଥନା ଗୃହ ପାଇଁ ୨୫୦ ଡିସିମିଲ ମାଗଣା ଦିଆଯାଇଛି । ସେହିଭଳି ଭୁବନେଶ୍ବର ଗଣ୍ଡମୁଣ୍ଡାରେ ହେବ ୟୁନିଟି ମଲ । ରାଜ୍ୟର ହସ୍ତ ଶିଳ୍ପ ଓ ହସ୍ତ ତନ୍ତ ଉତ୍ପାଦ ସହ ଅନ୍ୟ ରାଜ୍ୟର ସ୍ବତନ୍ତ୍ର ପ୍ରଡକ୍ଟ ଏହି ମଲରେ ବିକ୍ରି କରାଯିବ।

