ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ପାଳନ ନେଇ ଅନିଶ୍ଚିତତାରାଜ୍ୟ ସରକାରଙ୍କ ଅସୂୟାଭାବ ସ୍ପଷ୍ଟ: ବିଜେଡି

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିନକୁ ରାଜ୍ୟରେ ନବେ ଦଶକରୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ, ବର୍ତ୍ତମାନର ରାଜ୍ୟ ବିଜେପି ସରକାର ଏ ପର୍ଯ୍ୟନ୍ତ ପଞ୍ଚାୟତିରାଜ ଦିବସ ପାଳନ ପାଇଁ କୌଣସି ନିଦେ୍ର୍ଦଶନାମା ଜାରି କରିନାହାନ୍ତି । ଏହା ରାଜ୍ୟର ଲକ୍ଷାଧିକ ପଞ୍ଚାୟତ ପ୍ରତିନିଧିମାନଙ୍କ ମନରେ ଆଘାତ ଦେଇଛି ଏବଂ ତୁରନ୍ତ ସରକାର ଏ ସଂକ୍ରାନ୍ତୀୟ ନିଦେ୍ର୍ଦଶନାମା ଜାରି କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରିଛି ।
ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ରାଜ୍ୟ ତଥା ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିଷ୍ଠାର ମୁଖ୍ୟ କର୍ଣ୍ଣଧାର ବିଜୁ ବାବୁ ଥିଲେ ବୋଲି ଉଲ୍ଲେଖ କରିଥିଲେ । ଶ୍ରୀ ମିଶ୍ର କହିଥିଲେ ଯେ, ଡଃ ବଲବନ୍ତ ରାୟ ମେହେଟ୍ଟାଙ୍କୁ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ କୁହାଯାଉଥିବା ବେଳେ ଏହି ବ୍ୟବସ୍ଥାକୁ ସୁଦୃଢ଼ ତଥା ସଫଳ ରୂପାୟନ କରିବା କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ୧୯୬୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ଶ୍ରୀ ପଟ୍ଟନାୟକ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳରେ ମାନବ ସମ୍ୱଳ ଓ କୁଟୀର ଶିଳ୍ପର ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ ।
୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ, ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ ଏବଂ ଜିଲ୍ଲାପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମପଞ୍ଚାୟତ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ପାଇଁ ରାଜ୍ୟ ବିଧାନସଭାରେ ବିଲ୍ ପାରିତ କରିଥିଲେ । ବିଜୁ ବାବୁଙ୍କର ଏହି ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ନିଷ୍ପତ୍ତି ୧୯୯୨ ମସିହାରେ ସମ୍ୱିଧାନର ୭୪ତମ ସଂଶୋଧନ ମାଧ୍ୟମରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ବିଜୁ ବାବୁଙ୍କ ଦୂରଦର୍ଶୀ ନିଷ୍ପତ୍ତି ଫଳରେ ଏହି ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଥିଲା । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଏହି ଅବଦାନକୁ ସ୍ମରଣୀୟ କରିବା ପାଇଁ ରାଜ୍ୟରେ ବିଜୁ ବାବୁଙ୍କ ଜନ୍ମଦିନରେ ଅର୍ଥାତ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ ହୋଇଆସୁଛି । ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞ, ଯିଏ ୩ଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଯାହାଙ୍କ ମରଶରୀରରେ ୩ଟି ଦେଶର ଜାତୀୟ ପତାକା ଶୋଭା ପାଇଥିଲା, ସେଭଳି ଜଣେ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସମ୍ମାନ ଜଣାଇବାରେ କୁଣ୍ଠାବୋଧ କରିବା ରାଜ୍ୟ ବିଜେପି ସରକାରଙ୍କ ଅସୂୟାଭାବ ଓ ହୀନମନ୍ୟତାର ପରିଚୟ ବୋଲି ଶ୍ରୀ ମିଶ୍ର କହିଥିଲେ ।
ଶ୍ରୀ ଦାସବର୍ମା କହିଥିଲେ, ସରକାର ଏକ ନିରନ୍ତର ପ୍ରକ୍ରିୟା । ନବେ ଦଶକ ପରେ ସରକାର ବଦଳିଛି, କିନ୍ତୁ ମାର୍ଚ୍ଚ ୫ ତାରିଖରେ ପଞ୍ଚାୟତିରାଜ ଦିବସ ନିରନ୍ତର ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପାଳିତ ହୋଇଆସୁଛି । ଦୁର୍ଭାଗ୍ୟର ବିଷୟ ଯେ, ମାର୍ଚ୍ଚ ୫ ତାରିଖ ଆସିବାକୁ ୪୮ ଘଣ୍ଟାରୁ କମ ସମୟ ରହିଛି, କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏ ସଂକ୍ରାନ୍ତୀୟ କୌଣସି ନିଦେ୍ର୍ଦଶନାମା ପ୍ରକାଶ କରିନାହାନ୍ତି । ପୂର୍ବ ନିର୍ଦ୍ଧାରିତ ବ୍ୟବସ୍ଥା ଅନୁଯାୟୀ ମାର୍ଚ୍ଚ ୫ ତାରିଖରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ପାଳନ ପାଇଁ ତୁରନ୍ତ ନିଦେ୍ର୍ଦଶନାମା ଜାରି କରନ୍ତୁ ବୋଲି ବିଜୁ ଜନତା ଦଳ ଦାବି କରୁଛି ।

Leave a Reply

Your email address will not be published. Required fields are marked *