ଡିଲିମିଟେସନ ପ୍ରସଙ୍ଗରେ ବିଜେପି ଛାନିଆଁ କାହିଁକି: ବିଜେଡି

ଡିଲିମିଟେସନ ପ୍ରସଙ୍ଗରେ ଡିଏମ୍କେ ଦଳ ତରଫରୁ ଦୁଇ ଜଣ ପ୍ରତିନିଧି ଆଜି ଭୁବନେଶ୍ୱରରେ ବିଜୁ ଜନତା ଦଳର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲା ବେଳେ ଓଡିଶା ବିଜେପି ଦଳ ଛାନିଆଁ କାହିଁକି ବୋଲି ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ୍ ମହାନ୍ତି ପ୍ରଶ୍ନ କରିଛନ୍ତି ।
ସୀମା ପୁନଃନିର୍ଦ୍ଧାରଣ ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଆମ ରାଜ୍ୟର ଲୋକସଭା ଓ ବିଧାନସଭା ଆସନ ସଂଖ୍ୟା ବର୍ତ୍ତମାନଠାରୁ ଯେପରି ନକମିବ ତାହା ସୁନିଶ୍ଚିତ କରାଯିବା ଆବଶ୍ୟକ । ଆସନ ସଂଖ୍ୟା କମିବା ନେଇ ଯଦି କିଛି ରାଜ୍ୟ ଆଶଙ୍କା କରୁଛନ୍ତି, ସଂଘୀୟ ଗଣତନ୍ତ୍ର ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ସବୁ ରାଜ୍ୟର ସ୍ୱାର୍ଥ ରକ୍ଷା ହେଲା ଭଳି ନିଷ୍ପତ୍ତି ନେବା ଆବଶ୍ୟକ । ଏ ବାବଦରେ ଯଦି କିଛି ଆଞ୍ଚଳିକ ତଥା ଜାତୀୟ ରାଜନୈତିକ ଦଳ ପରସ୍ପର ମଧ୍ୟରେ ଆଲୋଚନା କରନ୍ତି, ଓଡିଶା ବିଜେପି ସେଥିରେ ପ୍ରତିକି୍ରୟାଶୀଳ ହେବାର ଆବଶ୍ୟକ ନାହିଁ । ବିଜେପିର ଜଣେ ବରିଷ୍ଠ ନେତା ଓଡିଶାର ବିଭାଜନ ବିଷୟରେ ମନ୍ତବ୍ୟ ଦେଉଛନ୍ତି ତଥା ରାଜ୍ୟ ସଂଗୀତକୁ ଅପମାନ କରୁଥିବା ବେଳେ ବିଜେପି ଦଳ କୌଣସି ପ୍ରତିକ୍ରିୟା ଦେଉନାହିଁ । କିନ୍ତୁ ତାମିଲନାଡୁର ଶାସନ ଦାୟିତ୍ୱରେ ଥିବା ଡିଏମ୍କେ ଦଳର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆମ ରାଜ୍ୟକୁ ଆସି, ସୀମା ପୁନଃନିର୍ଦ୍ଧାରଣ ଦ୍ୱାରା କିଭଳି ଓଡିଶାର ସ୍ୱାର୍ଥ ସୁରକ୍ଷିତ ହୋଇପାରିବ ସେ ବାବଦରେ ପ୍ରାରମ୍ଭିକ ଆଲୋଚନା କରିବା ଦ୍ୱାରା ବିଜେପି ଛାନିଆଁ ହେବାର ଆବଶ୍ୟକ ନାହିଁ । ବୋଧହୁଏ ଓଡିଶା ବିଜେପି ଦଳ ତାମିଲ କାମଳ ରୋଗଗ୍ରସ୍ତ ବୋଲି ଡ଼ ମହାନ୍ତି କହିଛନ୍ତି ।
ବିକଶିତ ଓଡିଶା ବଦଳରେ ବିଭାଜିତ ଓଡିଶାର ଭାଷା କହୁଥିବା ଓଡିଶା ବିଜେପିର ନେତୃତ୍ୱଙ୍କ ଅସଲ ସ୍ୱରୁପ ପଦାରେ ପଡିଯିବାରୁ ଛାନିଆଁ ହୋଇ ବିଜେପି ଏଭଳି ମନ୍ତବ୍ୟ ପ୍ରଦାନ କରୁଛି । ଆଜି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଦୟାନିଧି ମାରନ ଓ ତାମିଲନାଡୁର ମନ୍ତ୍ରୀ ଶ୍ରୀ ଟି.ଆର.ବି ରାଜା, ଡିଏମକେ ସଭାପତି ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଶ୍ରୀ ଷ୍ଟାଲିନଙ୍କ ତରଫରୁ ନବୀନ ବାବୁଙ୍କୁ ନିମନ୍ତ୍ରଣ କରିବା ପାଇଁ ଆସିଥିଲେ ଏବଂ ସକରାତ୍ମକ ଭାବେ ଆଲୋଚନା ହୋଇଥିବା ଡ଼ ମହାନ୍ତି ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *