ଶଙ୍ଖ ଭବନରେ ଓଡିଶା ଦିବସ ପାଳିତ

ଓଡିଶା ଦିବସ ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ରେ ସମାରୋହ ସହକାରେ ପାଳିତ ହୋଇ ଯାଇଛି।

ଏହି ଭବ୍ୟ ସମାବେଶକୁ ସମ୍ବୋଧିତ କରି ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଓଡିଶା ଦିବସର ଶୁଭେଚ୍ଛା ଜଣାଇଥିଲେ ।
ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ଭାରତ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ଓଡିଶା ହେଉଛି ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଆମର ପୂର୍ବ ସୁରୀ ମାନଙ୍କର ସ୍ୱପ୍ନ ଥିଲା ଏକ ସମୃଦ୍ଧ ଓ ସ୍ୱାଭିମାନୀ ଓଡିଶା । ସେହି ସ୍ବପ୍ନ ପୂରଣ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରି ରଖିଛୁ । ୨୦୦୦ ରୂ ୨୦୨୪ ଥିଲା ଓଡିଶା ବିକାଶ ର ନୂଆ ଯୁଗ ।ଆଜି ଦେଶର ବିକାଶ ଯାତ୍ରାରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି । ଓଡିଆମାନେ ଦେଶ ବିଦେଶରେ ଓଡିଶାର ପରିଚୟକୁ ଆଜି ଉଜ୍ୱଳ କରୁଛନ୍ତି । ଏହି ସମୟ ମଧ୍ୟରେ ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଲା । ଓଡିଆ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ହେଲା। ଦେଶ ର ବିଭିନ୍ନ ବିଶ୍ୱବିଦ୍ୟାଳୟ ରେ ଓଡିଆ ଭାଷା ଉପରେ ଗବେଷଣା ପାଇଁ ନୂଆ ନୂଆ Chair ପ୍ରତିଷ୍ଠା କରାଗଲା ।ଉତ୍କଳ ଗୌରବ ଓ ଉତ୍କଳମଣିଙ୍କ ଜନ୍ମ ପୀଠର ବିକାଶ ଓଡ଼ିଆ ସ୍ୱାଭିମାନର ଜୟଗାନ କରୁଛି ବୋଲି ମତ ଦେବା ସହ ସ୍ୱାଭିମାନର ସହ ଆମେ ଓଡ଼ିଆ ବୋଲି କହିବାକୁ ଆହ୍ୱାନ ଦେଇଥିଲେ ।

ସେ  କହିଥିଲେ ଯେ ଗତ ଚବିଶ ବର୍ଷ ମଧ୍ୟରେ କୃଷି, ପୁଞ୍ଜି ନିବେଶ, ଭିତ୍ତିଭୂମି, ଅର୍ଥନୀତି, କ୍ରୀଡା, ଶିକ୍ଷା, ସ୍ୱାସ୍ଥ୍ୟ , ବିପର୍ଯୟ ପରିଚାଳନା ସହିତ ବିକାଶର ବିଭିନ୍ନ ସୂଚକାଙ୍କ ରେ ଓଡିଶା ଆଗରେ ଅଛି ।  ଏହି ସମୟ ମଧ୍ୟରେ ଆମର ସବୁଠାରୁ ବଡ ସଫଳତା ହେଉଛି ଗରିବୀ  ହ୍ରାସ । ଗରିବୀ ୭୦ ପ୍ରତିଶତ ରୁ ୧୦ ପ୍ରତିଶତ କୁ କମିଛି । ଓଡିଶା ଆଜି ଏକ ମଜବୁତ ଭିତ୍ତି ଉପରେ ଆଗକୁ ବଢୁଛି । ଓଡିଶାର ବିକାଶକୁ କେହି ରୋକି ପାରିବେ ନାହିଁ  ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଥିଲେ ।ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନର ଶହେ ବର୍ଷ ସମ୍ପର୍କରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ  କହିଥିଲେ ଯେ ଆଉ ଅଳ୍ପ କିଛି ବର୍ଷ ପରେ ସ୍ୱତନ୍ତ୍ର ଓଡିଶା ତାର ଶହେ ବର୍ଷ ପୂର୍ତ୍ତି ପାଳନ କରିବ ।  ମହାନ ଜନ ନାୟକ ବିଜୁ ବାବୁଙ୍କ ସ୍ୱପ୍ନ ଥିଲା ଓଡିଶାକୁ  ଏସିଆର ଏକ ନମ୍ବର ରାଜ୍ୟ କରିବା । ସମସ୍ତଙ୍କ ସହଯୋଗ ରହିଲେ, ଉଦ୍ୟମ ରହିଲେ, ବିଜୁ ବାବୁଙ୍କ ଏହି   ସ୍ବପ୍ନ ନିଶ୍ଚୟ ପୁରଣ ହେବ ବୋଲି  ଶ୍ରୀ ପଟ୍ଟନାୟକ ଦୃଢ ଆଶା ବ୍ୟକ୍ତ କରିଥିଲେ ।

ଏହି ଅବସରରେ ବିଜୁ ଜନତା ଦଳ ପକ୍ଷରୁ ବିଶିଷ୍ଟ ଭାଷାବିତ୍‌ ପଦ୍ମଶ୍ରୀ ଡକ୍ଟର ଦେବୀ ପ୍ରସନ୍ନ ପଟ୍ଟନାୟକ, ଝାଡ଼ଖଣ୍ଡର ପୂର୍ବତନ ମନ୍ତ୍ରୀ ଡକ୍ଟର ଦିନେଶ ଷଡଙ୍ଗୀ, କବୟିତ୍ରୀ ଡକ୍ଟର ମିନି ଷଡଙ୍ଗୀ ଏବଂ ଏଭେରେଷ୍ଟ ବିଜୟିନୀ ମମତା ରାଉତଙ୍କୁ  ସେମାନଙ୍କ ଅବଦାନ ପାଇଁ ଶ୍ରୀ ନବୀନ ପଟ୍ଟନାୟକ ଉପାୟନ  ମାନପତ୍ର ଦେଇ  ସମ୍ବର୍ଦ୍ଧିତ କରିଥିଲେ ।ସମ୍ବର୍ଦ୍ଧନାର ଉତ୍ତରରେ ଡ଼କ୍ଟର ପଟ୍ଟନାୟକ ଓ ଡାକ୍ତର ଷଡ଼ଙ୍ଗୀ  ଓଡିଶା ଭାଷାର ବ୍ୟାପକ ବ୍ୟବହାର ଓ ବିଛିନ୍ନାଞ୍ଚଳର ଓଡ଼ିଆ ମାନଙ୍କ ସମସ୍ୟା ଉପରେ ଆଲୋକପାତ କରିଥିଲେ ।

ବିଧାୟକ ସୁଶାନ୍ତ ରାଉତଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି  କାର୍ଯ୍ୟକ୍ରମରେ  ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ  ଶ୍ରୀ ଦେଵୀପ୍ରସାଦ  ମିଶ୍ର ,ଉଦବୋଧନ ଦେଇଥିଲେ ।ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ ଓ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *