କୃଷ୍ଣ ପ୍ରସାଦ ରାସ୍ତା ନିର୍ମାଣରେ ନିମ୍ନମାନ କାମର
ଅଭିଯୋଗ କଲା ବିଜେଡି

ପୂର୍ତ୍ତ ବିଭାଗର ଏକ ରାସ୍ତାର ନିର୍ମାଣରେ ନିମ୍ନମାନର କାମ ହେଉଛି ବୋଲି ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ପରେ ବିଜୁ ଜନତା ଦଳ ତରଫରୁ ଏହି କାର୍ଯ୍ୟକୁ ନିନ୍ଦା କରାଯିବା ସହିତ ରାଜ୍ୟ ସରକାର ଏକ୍ସପର୍ଟ କମିଟି ପଠାଇ ଏହାର ତଦନ୍ତ କରିବାକୁ ଦାବି କରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ, ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ, ନନ୍ଦଳା ଠାରୁ କୃଷ୍ଣ ପ୍ରସାଦ ଦୀର୍ଘ ୨୩ କିମି ରାସ୍ତା ପାଇଁ ଟେଣ୍ଡର ଡକାଯାଇଥିଲା । ଏହି ଟେଣ୍ଡରକୁ ୨୩ କୋଟି ୧୭ ଲକ୍ଷ ଟଙ୍କାରେ କାମଟିକୁ ବଳଭଦ୍ର ଡେଭେଲପର୍ସ ପ୍ରାଇଭେଟ ଲିମିଟେଡ଼କୁ ଟେଣ୍ଡର ଜରିଆରେ ଦିଆଯାଇଥିଲା । ଏହି ଟେଣ୍ଡରରେ ପୂର୍ବରୁ ଥିବା ୫.୫ ମିଟର ରୋଡ଼କୁ ଉଭୟ ପଟରୁ ୦.୭୫ ମିଟର ଚଉଡା କରି ନିର୍ମାଣ କରାଯିବାର ଥିଲା । ଟେଣ୍ଡରରେ ପୂର୍ବରୁ ଥିବା ରୋଡ଼କୁ ତଡାଯାଇ ସମ୍ପୂର୍ଣ୍ଣ ରୋଡ଼ ନୂଆ କରି ନିର୍ମାଣ କରାଯିବାର ଥିଲା । କିନ୍ତୁ, ଏହି କାମରେ ନିମ୍ନମାନର କାମ ହେଉଛି ବୋଲି ସାଧାରଣ ଲୋକେ ପୂର୍ତ୍ତ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ।
ପୂର୍ତ୍ତ ବିଭାଗର ଏହି ମନମୁଖୀ କାର୍ଯ୍ୟକୁ ବିଜୁ ଜନତା ଦଳ ତରଫରୁ ଦୃଢ଼ ନିନ୍ଦା କରାଯିବା ସହିତ ପୂର୍ତ୍ତ ମନ୍ତ୍ରୀ ତୁରନ୍ତ ଏହି କାମକୁ ତଦାରଖ କରିବା ପାଇଁ ଏକ ଏକ୍ସପର୍ଟ କମିଟି ପଠାଇବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି । ଏହି ଏକ୍ସପର୍ଟ କମିଟି ତୁରନ୍ତ ରାସ୍ତା ନିର୍ମାଣ ସ୍ଥଳକୁ ଯାଇ ନିମ୍ନମାନର କାମ ହେଉଛି ବୋଲି ଅଭିଯୋଗ କରୁଥିବା ସ୍ଥାନୀୟ ବାସିନ୍ଦା ମାନଙ୍କ ସହିତ ଆଲୋଚନା କରି ତୁରନ୍ତ ବିହିତ ପଦକ୍ଷେପ ନେବାକୁ ଶ୍ରୀ ଦାସବର୍ମା ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *