ନାରୀ ସୁରକ୍ଷା ପ୍ରସଙ୍ଗରେ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବ ବିଜୁ ମହିଳା ଜନତା ଦଳ

ଆସନ୍ତା କାଲି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବା ବେଳେ ବିଜୁ ମହିଳା ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ଗତ ଏକ ବର୍ଷର ବିଜେପି ଶାସନରେ ନାରୀ ସୁରକ୍ଷା ବିପର୍ୟ୍ୟସ୍ତ ହୋଇଥିବା ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛି।
ଶଙ୍ଖ ଭଵନରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବିଧାୟକ ତଥା ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଶ୍ରୀମତୀ ଟୁକୁନି ସାହୁ, ବାଲେଶ୍ୱର ଏଫଏମ ଅଟୋନମୋସ କଲେଜର ଛାତ୍ରୀ ଆତ୍ମହୁତି ଉଦ୍ୟମ ଘଟଣା ରାଜ୍ୟରେ ମହିଳା, ଛାତ୍ରୀ ଅସୁରକ୍ଷିତ ହୋଇ ପଡ଼ିଥିବା ଘଟଣାର ସଦ୍ୟତମ ଉଦାହରଣ ବୋଲି କହିଥିଲେ। ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ଏହି ସମ୍ବେଦନଶୀଳ ଓ ସ୍ପର୍ଶକାତର ଘଟଣାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ପୀଡିତା ଛାତ୍ରୀ ନ୍ୟାୟ ପାଇଁ ବିଧିବଧ ଭାବେ କଲେଜ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗ କରିବା ବ୍ୟତୀତ ରାଜ୍ୟର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହା ଛଡା ସେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବ୍ୟକ୍ତିଗତ ଭାବେ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। କିନ୍ତୁ, ଦୁଃଖ ଓ ପରିତାପର ବିଷୟ ଯେ ଏମାନଙ୍କ ଭିତରୁ କେହି ଛାତ୍ରୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ନଥିଲେ। ଛାତ୍ରୀ ଜଣକ ନ୍ୟାୟ ପାଇବାରେ ବିଫଳ ହେବା କାରଣରୁ ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଇଥିଲା।
ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ପୀଡିତା ଛାତ୍ରୀଙ୍କ ପରିବାର ସଦସ୍ୟଙ୍କ ସହିତ କଥାବାର୍ତ୍ତା କରି ଆମେ ଜାଣିବାକୁ ପାଇଲୁ ଯେ, କଲେଜର ଅଧ୍ୟକ୍ଷ ପୀଡିତା ଛାତ୍ରୀଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ, ଅଭିଯୁକ୍ତ ଅଧ୍ୟାପକଙ୍କ ସମ୍ମୁଖରେ, ଛାତ୍ରୀଙ୍କୁ ତାଙ୍କ ଅଭିଯୋଗ ପ୍ରତ୍ୟାହାର କରିବାକୁ କହିଥିଲେ। ଏହି ଘଟଣାରେ ପୀଡ଼ିତାକୁ ନ୍ୟାୟ ଦେବା ପରିବର୍ତ୍ତେ, ଘଟଣାକୁ ଲିପା ପୋତି କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏମ୍ସ ଠାରେ ପୀଡିତା ଛାତ୍ରୀ ଚିକିତ୍ସିତ ହେଉଥିବା ବେଳେ, ସେଠାରେ ବିଜେପିର କିଛି ଗୁଣ୍ଡା ଶ୍ରେଣୀୟ ଯୁବକ ବାହାରେ ଜଗି ରହିଛନ୍ତି। ସେମାନେ, ପୀଡ଼ିତାଙ୍କୁ ଭେଟିବାକୁ ଯାଉଥିବା ବିଭିନ୍ନ ସଙ୍ଗଠନର ବ୍ୟକ୍ତି ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କ ସହିତ ଭେଟିବା ପାଇଁ ବାଧା ଦେଉଛନ୍ତି।
ଶ୍ରୀମତୀ ଟୁକୁନି ସାହୁ କହିଥିଲେ, କେବଳ ଏହି ଘଟଣା ନୁହେଁ ବରଂ ରାଜ୍ୟରେ ଗତ ୧୩ ମାସର ବିଜେପି ଶାସନରେ ମହିଳା ଓ ଛାତ୍ରୀମାନେ ଅସୁରକ୍ଷିତ ହୋଇ ପଡିଛନ୍ତି। ଓଡ଼ିଶାରେ ନାରୀ ସୁରକ୍ଷା ନେଇ ଆମେରିକାର ରାଷ୍ଟ୍ରପତିଙ୍କ ଟିପ୍ପଣୀ ଓଡିଶାକୁ ଦେଶ ବିଦେଶରେ ଲଜ୍ଜିତ ଓ ନିନ୍ଦିତ କରିଛି। ନିୟମିତ ବ୍ୟବଧାନରେ, ଗୋଟିଏ ପରେ ଗୋଟିଏ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସୁଥିଲେ ମଧ୍ୟ ସରକାର ନିଦାବିଷ୍ଣୁ ସାଜି ବସି ରହିଛନ୍ତି। ଏହି ପରିପ୍ରେକ୍ଷୀରେ, ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଥିବାରୁ, ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ତାଙ୍କୁ ଭେଟି ରାଜ୍ୟରେ ବିପର୍ୟ୍ୟସ୍ତ ମହିଳା ସୁରକ୍ଷା ପ୍ରସଙ୍ଗରେ ତାଙ୍କ ସହିତ ଆଲୋଚନା କରିବାକୁ ଚାହୁଁଛି। ଆଜି ଇ-ମେଲ ମାଧ୍ୟମରେ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତ ପାଇଁ ଅନୁରୋଧ କରା ଯାଇଛି ବୋଲି ଶ୍ରୀମତୀ ସାହୁ କହିଥିଲେ।

Leave a Reply

Your email address will not be published. Required fields are marked *