୨୧ରେ କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି ଅଫିସରେ ବିଜେଡିର ବିକ୍ଷୋଭ

ସୌମ୍ୟାଶ୍ରୀ ଆତ୍ମାହୂତି ଘଟଣାରେ ତାଙ୍କ ମୃତୁ୍ୟ ପାଇଁ ବ୍ୟବସ୍ଥାଗତ ବିଫଳତାକୁ ଦାୟୀ କରି ଓ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ତରଫରୁ ବିଭିନ୍ନ ଆନେ୍ଦାଳନାତ୍ମକ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ, ଆସନ୍ତା ଜୁଲାଇ ୨୧ ତାରିଖରେ ଦଳ ତରଫରୁ ରାଜ୍ୟର ସମସ୍ତ ଆରଡିସି ଅଫିସ ଘେରାଉ କାର୍ଯ୍ୟକ୍ରମ ହେବ ବୋଲି ଆଜି ଦଳ ତରଫରୁ ସୂଚନା ଦିଆଯାଇଛି ।
ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ଆରଡିସି ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଛନ୍ତି । ସେ କହିଥିଲେ, ଏହି ଘଟଣା ସମଗ୍ର ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜୁ ଜନତା ଦଳ ପ୍ରତିବାଦ କାର୍ଯ୍ୟକ୍ରମ କରିଆସୁଛି । ୧୪ ତାରିଖ ବିଳମ୍ୱିତ ରାତିରେ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘୋଷଣା କରାଯାଇଥିଲା ବେଳେ ତା ପରଦିନ ସକାଳୁ ଅର୍ଥାତ ଜୁଲାଇ ୧୫ ତାରିଖ ଦିନ ବିଜୁ ଛାତ୍ର ଓ ଯୁବ ଜନତା ଦଳ ତରଫରୁ ରାଜ୍ୟବ୍ୟାପୀ ଆନେ୍ଦାଳନ ଆରମ୍ଭ ହୋଇଥିଲା । ୧୬ ତାରିଖ ଦିନ ବିଜୁ ଜନତା ଦଳ ତରଫରୁ ଲୋକସେବା ଭବନ ଘେରାଉ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯେଉଁଥିରେ ସରକାରଙ୍କ ନିଦେ୍ର୍ଦଶରେ ପୋଲିସ ଆନେ୍ଦାଳନକାରୀଙ୍କ ଉପରେ ଆକ୍ରମଣ କରିଥିଲେ । ରାଜ୍ୟ ସରକାରଙ୍କ ଦାୟିତ୍ୱହୀନତା ଓ ସମ୍ବେଦନହୀନତା ଲାଗି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଏବଂ ଏହାର ତଦନ୍ତ ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ବିଚାର ବିଭାଗୀୟ ତଦନ୍ତ ପାଇଁ ବିଜେଡି ଦାବି କରିଛି । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ନ ମିଳିବା ଯାଏଁ ବିଜୁ ଜନତା ଦଳ ଏହି ଆନେ୍ଦାଳନକୁ ତୀବ୍ରତର କରିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଗୌତମବୁଦ୍ଧ ଦାସ, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *