ସାନଖେମୁଣ୍ଡି ଝାଡ଼ାବାନ୍ତି ଆକ୍ରାନ୍ତ ଘଟଣା: ମୃତକଙ୍କ ପରିବାରକୁ ଭେଟିଲେ ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ

ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଟି-ଗୋବିନ୍ଦପୁର ପଂଚାୟତର ଆଦିବାସୀ ଅଧ୍ୟୁଷିତ ଦାମପୁର ଗ୍ରାମରେ ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ଶ୍ରୀ ସଞ୍ଜୟ କୁମାର ଦାସ ବର୍ମା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଉପସଭାପତି ଶ୍ରୀ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନେତୃତ୍ବରେ ଗସ୍ତ କରିଥିଲେ। ଗତ ଦୁଇ ଦିନ ଭିତରେ ପ୍ରାଣ ହରାଇଥିବା ସମ୍ବାରୁ ମଲିକ, ସୁକୁରି ମଲିକ ଓ କାଁଦାରା ମଲିକଙ୍କ ପରିବାରବର୍ଗଙ୍କୁ ଭେଟି ଦଳର ସଭାପତି ତଥା ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସମବେଦନା ଜଣାଇଥିଲେ। ଏହା ସହ ଅନ୍ୟ ଆକ୍ରାନ୍ତ ପରିବାରକୁ ଭେଟି ଆଲୋଚନା କରିଥିଲେ।
ସ୍ଥିତି ଅନୁଧ୍ୟାନ କରିଲା ବେଳେ ଜଣାପଡିଲା ଗତ ଏକ ବର୍ଷ ଧରି ଜଳଯୋଗାଣ ପାଇଁ ଉଦ୍ଧିଷ୍ଟ ପାଣି ଟାଙ୍କି ସଫା ହୋଇନଥିଲା। ଗ୍ରାମବାସୀ ନିର୍ଭର କରୁଥୁବା ପୋଡାମାରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବି ଡାକ୍ତର ନାହାନ୍ତି। ଅଂଚଳରେ ପରିମଳ ବ୍ୟବସ୍ଥା ତଦାରଖ କରିବେ ପାଇଁ ଆବଶ୍ୟକ କର୍ମଚାରୀ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାନ୍ତି। ଝାଡ଼ାବାନ୍ତି ବ୍ୟାପିବା ଖବର ମିଳିଲା ପରେ ମଧ୍ୟ ସରକାରୀ ଉଦାସୀନତା ଲାଗି ତିନୋଟି ଅମୂଲ୍ୟ ଜୀବନ ଚାଲିଯିବା ବିଷୟ ଗ୍ରାମବାସୀ କହିଥିଲେ। ଆଜି ସକାଳୁ ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଯିବା ପୂର୍ବରୁ ସ୍ଥାନୀୟ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ସେଠାରେ ପହଞ୍ଚିଥିବା ଦେଖିବାକୁ ମିଳିଥିଲା। ଏମକେସିଜି ମେଡିକାଲ କଲେଜର ଏକ ବିଶେଷଜ୍ଞ ଦଳ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉପସ୍ଥିତ ଥିବା ସମୟରେ ଆସି ପହଞ୍ଚିଥିଲେ। ଡାଇରିଆ ଜନିତ କୌଣସି ମୃତ୍ୟୁ ହୋଇ ନାହିଁ ବୋଲି, ଗତକାଲି ବିଳମ୍ବିତ ସଂଧ୍ୟାରେ ଗଂଜାମ ସିଡିଏମ୍ଓ ଯେଉ ବିବୃତ୍ତି ଜାରି କରିଛନ୍ତି ତାହା ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ଦାସ ବର୍ମା କହିଛନ୍ତି। ଉପସ୍ଥିତ ଡାକ୍ତର ଓ ସିଡିପିଓଙ୍କ ସହ ଆଲୋଚନା କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ।
ଏହି ଟିମରେ ଶ୍ରୀ ବିକ୍ରମ ପଣ୍ଡା, ଶ୍ରୀମତୀ ଲତିକା ପ୍ରଧାନ, ଶ୍ରୀମତୀ ରଞ୍ଜିତା ସାହୁ, ଶ୍ରୀମତୀ ନନ୍ଦିନୀ ଦେବୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଶ୍ରୀ ଶ୍ରୀକାନ୍ତ ସାହୁ, ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ଡେପୁଟି ମେୟର ଶ୍ରୀ ବିବେକ ରେଡ୍ଡୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ମୁଖପାତ୍ର ଶ୍ରୀ ତୁମ୍ବନାଥ ପଣ୍ଡା, ସ୍ଥାନୀୟ ବ୍ଲକ ଅଧକ୍ଷ ଶ୍ରୀ ସୀମାଞ୍ଚଳ ପାତ୍ର, ଶ୍ରୀ ସୁବାଷ ମହାରଣା, ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ, ଧରାକୋଟ ଓ ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି, ଜିଲ୍ଲା ପରିଷଦ ସଭ୍ୟ ଏବଂ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ବୃନ୍ଦ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *