ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ : ଛାତ୍ରଛାତ୍ରୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲା ବିଜୁ ଯୁବ ଛାତ୍ର ଜନତା ଦଳ

ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ ଘଟଣାରେ ଆଶାୟୀଙ୍କୁ ନ୍ୟାୟ ଦାବି ସହ ଅନିୟମିତା ବିରୋଧରେକ୍ଟ୍ର ବିଜୁ ଯୁବ ଛାତ୍ର ଜନତା ଦଳ ନେତୃତ୍ତ୍ୱରେ ଭୁବନେଶ୍ୱର ଠାରେ ହୋଇଛି ଜୋରଦାର ପ୍ରତିବାଦ । ପୁଲିସ ଏସ୍ଆଇ ନିଯୁକ୍ତିରେ ବ୍ୟାପକ ଅନିୟମିତତା ନେଇ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆରମ୍ଭରୁ ଘଟଣାର ସିବିଆଇ ତଦନ୍ତ ଦାବି କରି ଆସୁଛି ବିଜେଡି । ସିବିଆଇ ତଦନ୍ତ ନିଦେ୍ର୍ଦଶ ଦିଆନଗଲେ ଆଗକୁ ଜୋରଦାର ଆନେ୍ଦାଳନ କରିବାକୁ ଚେତାବନୀ ଦେଇଛି ବିଜୁ ଯୁବ ଛାତ୍ର ଜନତା ଦଳ ।
ବିଜେପି ଶାସନରେ ମହିଳା ଓ ଶିଶୁଙ୍କ ବିରୋଧରେ ଅପରାଧ ଅହେତୁକ ବୃଦ୍ଧି ପାଇ ଓଡିଶା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିନ୍ଦିତ ଓ ଲଜ୍ଜିତ ହୋଇଥିବା ବେଳେ ଏବେ ସରକାରୀ ଚାକିରି ବିକ୍ରି ଭଳି ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ଗତ ପନ୍ଦର ମାସରେ ୧୬ଟି ନିଯୁକ୍ତି ପରୀକ୍ଷା ଶେଷ ମୁହୂର୍ତ୍ତରେ ବାତିଲ ହୋଇଛି, ଯାହା ଯୋଗୁ ନିଯୁକ୍ତି ଆଶାୟୀମାନେ ହତାଶ ହୋଇଛନ୍ତି । ପୋଲିସ ଏସଆଇ ପଦବୀ ପାଇଁ ଚଳିତ ବର୍ଷ ମାର୍ଚ୍ଚ ୮ ଓ ୯ରେ ହେବାକୁ ଥିବା ଲିଖିତ ପରୀକ୍ଷାକୁ ଶେଷ ମୁହୂର୍ତ୍ତରେ ବାତିଲ କରାଯାଇଥିଲା । ଏହାକୁ ଅକ୍ଟୋବର ୭ ଓ ୮ରେ କରିବା ପାଇଁ ସ୍ଥିର କରାଯାଇଥିଲା, ଯାହାକୁ ୩୦ ସେପ୍ଟେମ୍ୱର ଦିନ ଆଉଥରେ ବାତିଲ କରାଯାଇଛି । ଏହି ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ୧୧୪ ଜଣ ପରୀକ୍ଷାର୍ଥୀ ଓ ୩ଜଣ ଦଲାଲଙ୍କୁ ଶ୍ରୀକାକୁଲମ ପୋଲିସ ଦ୍ୱାରା ଗିରଫ କରାଯାଇଛି । ନିଯୁକ୍ତି ପାଇଁ ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱରେ ଥିବା ସଂସ୍ଥା ଦ୍ୱାରା ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମାଧ୍ୟମରେ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି । ଗିରଫ ପରୀକ୍ଷାର୍ଥୀ ମାନେ ମୋଟା ଅଙ୍କର ଲାଞ୍ଚ ଦେଇ ଏହି ଚାକିରି ହାତେଇବା ପାଇଁ ଉଦ୍ୟମ କରୁଥିଲେ ବୋଲି କୁହାଯାଉଛି । ପ୍ରାୟ ୨୦୦ କୋଟି ଟଙ୍କାର ଏହି ଜାଲିଆତି ହୋଇଥିବା କୁହାଯାଉଛି । କିନ୍ତୁ, ଏଠାରେ ପ୍ରଶ୍ନ ଉଠୁଛି ଯେ, ଲାଞ୍ଚ ଦେବା ଅଭିଯୋଗରେ ପରୀକ୍ଷାର୍ଥୀ ମାନେ ଯଦି ଗିରଫ ହେଲେ, ତାହେଲେ ଲାଞ୍ଚ ଗ୍ରହଣ କରିଥିବା ବ୍ୟକ୍ତିମାନେ ଗିରଫ ହେଉ ନାହାନ୍ତି କାହିଁକି?
୯୩୩ ଜଣ ଏସ୍ଆଇ ପଦବୀରେ ନିଯୁକ୍ତି ଦେବା ପାଇଁ ଆବଶ୍ୟକୀୟ ପରୀକ୍ଷାକୁ ପରିଚାଳନା କରିବା ପାଇଁ ଭାରତ ସରକାରଙ୍କ ସଂସ୍ଥା ଆଇଟିଆଇକୁ ପ୍ରଦାନ କରାଯାଇଥିଲା । ଏହି କାମ ପାଇଁ ଆଇଟିଆଇ ତାର ସହଯୋଗୀ ଭାବେ ଗୁଜୁରାଟର ରିଚ୍ ମାଇଣ୍ଡ ଡିଜିଟାଲକୁ ନେଇଥିଲା । ଏପ୍ରିଲ ୨୦୨୫ରେ ରାଜ୍ୟ ସରକାର ସନ୍ତୋଷ ଉପାଧ୍ୟାୟଙ୍କୁ ଅବ୍ୟାହତି ଦେଇ ତାଙ୍କ ଜାଗାରେ ସୁଶାନ୍ତ ନାଥଙ୍କୁ ନିଯୁକ୍ତି ଦେଇଥିଲେ ।
ଏହାପରେ ଆଇଟିଆଇ ଦ୍ୱାରା ରିଚ୍ ମାଇଣ୍ଡକୁ ହଟାଯାଇ ଓଡ଼ିଶାର ଏକ ସଂସ୍ଥା ସିଲିକନ ଡିଜିଟେକ୍କୁ ସହଯୋଗୀ ଭାବେ ଦିଆଯାଇଥିଲା । ସିଲିକନ ଡିଜିଟେକ୍ ତାର ସହଯୋଗୀ ଭାବେ ବ୍ରହ୍ମପୁର ସ୍ଥିତ ପଞ୍ଚସଫ୍ଟ ଟେକ୍ନୋଲୋଜି ନାମକ ଏକ ଅନଭିଜ୍ଞ କମ୍ପାନୀକୁ ଦାୟିତ୍ୱ ଦେଇଥିଲା । ଏହି ପଞ୍ଚସଫ୍ଟ ସଂସ୍ଥା ଦ୍ୱାରା ମୁଖ୍ୟତଃ ମୋଟା ଅଙ୍କର ଟଙ୍କା ନେଇ ଜାଲିଆତି କରି ଚାକିରି ଦେବା ପାଇଁ ଉଦ୍ୟମ କରାଯାଉଥିଲା । ପଞ୍ଚସଫ୍ଟ କମ୍ପାନୀର ମୁଖ୍ୟ ଶଙ୍କର ପୃଷ୍ଟି ବିଜେପି ଦଳର ଜଣେ ସଦସ୍ୟ ଭାବେ ଜଣାଶୁଣା ।
କେଉଁ ପରିସ୍ଥିତିରେ ଓ କାହା ନିଦେ୍ର୍ଦଶରେ ପଞ୍ଚସଫ୍ଟ ଭଳି ଏକ ଅନଭିଜ୍ଞ କମ୍ପାନୀକୁ ଏଭିଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା ବୋଲି ବିଜୁ ଯୁବ ଛାତ୍ର ଜନତା ଦଳ ପ୍ରଶ୍ନ କରିଛି । ଏବେ ଘଟଣାର ତଦନ୍ତ ପୋଲିସ କରୁଛି, ଯିଏ ନିଜେ ଏଥିରେ ସମ୍ପୂକ୍ତ ।
ଚାକିରି ଚୋର, ଗାଦି ଛାଡ଼ ସରକାର ବିରୋଧରେ ହେଇଥିବା ଏହି ଆନେ୍ଦାଳନର ନେତୃତ୍ୱ ବିଜୁ ଯୁବ ଓ ଛାତ୍ର ଜନତା ଦଳର ଦୁଇ ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ଶ୍ରୀମତୀ ଇସ୍ପିତା ସାହୁଙ୍କ ସହିତ ଦଳର ସାଧାରଣ ସମ୍ପାଦକ ଶ୍ରୀ ପ୍ରୀତିରଞ୍ଜନ ଘଡ଼େଇ, ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ପୂର୍ବତନ ବିଧାୟକ ଶ୍ରୀ ରାଜେନ୍ଦ୍ର ସାହୁ, ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀ ମନ୍ମଥ ରାଉତରାୟ ଓ ଶ୍ରୀ ଅମରେଶ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *