ନୂଆପଡା ଉପନିର୍ବାଚନ ଦୌଡ଼ରେ ଥିବା ବିଜେଡି ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆଜି ନୂଆପଡା ବ୍ଲକ ଜୋନ ୯ର ଚୁଲାଭଟ, ମୋଟାନୂଆପଡା, ତନୱାଟ ଓ କେରମେଲୀ ପଞ୍ଚାୟତରେ ନିର୍ବାଚନୀ ପ୍ରଚାର ସହ ଜନସମାବେଶକୁ ସମ୍ୱୋଧିତ କରିଥିଲେ । ବିପୁଳ ସମର୍ଥକଙ୍କ ସହ ବାଇକ ରାଲିରେ ସଭାସ୍ଥଳରେ ପହଞ୍ଚିବା ପରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ, ବିଧାୟକ ତୁଷାରକାନ୍ତି ବେହେରା, ବିଏମ୍ସି ମେୟର ସୁଲୋଚନା ଦାସ, ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀ, ବିଧାୟିକା ସୁବାସିନୀ ଜେନା, ବିଧାୟକ ରମେଶ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ମାନସ ମାଡକାମୀ, ରାଜ୍ୟ ସାଧାରଣ ସମ୍ପାଦକ ସଞ୍ଜିତ ମହାନ୍ତି, ପ୍ରମୋଦ ପାଢ଼ୀ ଯୋଗ ଦେଇ କହିଥିଲେ ଯେ, ନୂଆପଡ଼ାବାସୀଙ୍କ ଜନମାନସରେ ନବୀନ ପଟ୍ଟନାୟକଙ୍କ ଆଦର୍ଶ ସର୍ବଦା ଅତୁଟ ରହିଥିବ । ବିଜେଡି ସରକାର ସମୟରେ ହୋଇଥିବା ବିଭିନ୍ନ ଜନହିତକାରୀ ଓ ଉନ୍ନୟନମୂଳକ ଯୋଜନାର ଛାପ ଆଜି ବି ରାଜ୍ୟର କୋଣ ଅନୁକୋଣରେ ସ୍ପଷ୍ଟ ପରିଲକ୍ଷିତ ହେଉଛି । ନୂଆପଡ଼ାରେ ମଧ୍ୟ ବିକାଶ ଧାରା ଜାରି ରଖିବା ପାଇଁ ବିଜେଡିକୁ ବହୁଳ ମତରେ ବିଜୟ ଦେବା ପାଇଁ ସେମାନେ ନିବେଦନ କରିଥିଲେ । ସଭାସ୍ଥଳରେ ଉପସ୍ଥିତ ଶତାଧିକ ମହିଳା ଓ ଯୁବକମାନଙ୍କ ଆଖିରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ସମସ୍ତେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିୟାଙ୍କ ଅବଦାନକୁ ସ୍ମରଣ କରି, ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ଶ୍ରୀମତୀ ଛୁରିଆ ନିଜ ବକ୍ତବ୍ୟରେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳାମାନଙ୍କ ଆତ୍ମନିର୍ଭରତା, ସ୍ୱାବଲମ୍ୱନ ଓ ସାମାଜିକ ସଶକ୍ତିକରଣ ପାଇଁ ଦେଇଥିବା ଅବଦାନକୁ ସ୍ମରଣ କରି ଏସ୍ଏଚଜି ମାଧ୍ୟମରେ ମହିଳାମାନଙ୍କ ଆର୍ଥିକ ଉନ୍ନତି, ମହିଳା ସୁରକ୍ଷା ଓ ଆଦିବାସୀ ମାନଙ୍କ ଅର୍ଥନୈତିକ ଓ ସାମାଜିକ ଉନ୍ନୟନ ଦିଗରେ ବିଜୁ ଜନତା ଦଳ ସରକାର ନିରନ୍ତର ପ୍ରୟାସ ଜାରି ରଖିଛି ବୋଲି ସେ ଉଲ୍ଲେଖ କରିଥିଲେ । ଆସନ୍ତା ୧୧ ଉପନିର୍ବାଚନରେ ଶଙ୍ଖ ଚିହ୍ନକୁ ଭୋଟ ଦେଇ ନବୀନ ପଟ୍ଟନାୟକଙ୍କ ହାତକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ସେ ଆହ୍ୱାନ ଜଣାଇଥିଲେ । ଆଜିର ସମସ୍ତ ସଭାରେ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଓ ବିଭିନ୍ନ ସ୍ଥାନୀୟ ନେତାମାନେ ଉପସ୍ଥିତ ରହି ବିଜୁ ଜନତା ଦଳ ପ୍ରତି ନିଜ ଅତୁଟ ଆସ୍ଥା ଓ ସମର୍ପଣ ଭାବ ପ୍ରକାଶ କରିଥିଲେ ।
2025-11-03

