ବହଳଦାରେ ଆଦିବାସୀ ନାବାଳିକାଙ୍କ ଉପରେ ହୋଇଥିବା ଅସଦାଚରଣକୁ ତୀବ୍ର ନିନ୍ଦା କଲା ବିଜେଡି

ମୟୂରଭଞ୍ଜ ଜିଲ୍ଲାର ବହଳଦାରେ ୧୪ ବର୍ଷୀୟା ଜଣେ ଆଦିବାସୀ ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ଘଟଣାରେ ପୋଲିସର ନିଷ୍କି୍ରୟତାକୁ ନେଇ ତୀବ୍ର ନିନ୍ଦା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେଡି ମୟୂରଭଞ୍ଜ-୨ ସଂଗଠନ ଜିଲ୍ଲାର ସଭାପତି ଡ଼ ଦେବାଶିଷ ମାରାଣ୍ଡି ଓ ଦଳର ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ଡ଼ ପ୍ରିୟବ୍ରତ ମାଝୀ ଓଡ଼ିଶାରେ ଆଦିବାସୀ ମହିଳାଙ୍କ ଉପରେ ବୃଦ୍ଧି ପାଉଥିବା ଅତ୍ୟାଚାରକୁ ନେଇ ଗଭୀର ଚିନ୍ତା ବ୍ୟକ୍ତ କରିଥିଲେ ।
ଡ଼ ମାରାଣ୍ଡି କହିଥିଲେ ଯେ, ବିଜୁ ଜନତା ଦଳ ସଦାସର୍ବଦା ଆଦିବାସୀ ସମୁଦାୟର ଅଧିକାର, ମର୍ଯ୍ୟାଦା ଓ ସୁରକ୍ଷା ପାଇଁ କାର୍ଯ୍ୟ କରିଆସୁଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରଠାରୁ ଆଦିବାସୀ ମହିଳାଙ୍କ ବିରୋଧରେ ଅପରାଧ ମାମଲା ଚିନ୍ତାଜନକ ଭାବେ ବୃଦ୍ଧି ପାଉଛି । ଡ଼ ମାରାଣ୍ଡି ଉଲ୍ଲେଖ କରିଥିଲେ ଯେ, ଗତ ୧୨ ମାର୍ଚ୍ଚ ୨୦୨୬ରେ ଟିରିଂ ଥାନା ଅଧୀନ ବିଂଝୁଆ ଗ୍ରାମ, ବହଳଦା ଛକ ନିକଟରେ ଜଣେ ୧୪ ବର୍ଷୀୟା ନାବାଳିକାଙ୍କ ସହ ହୋଇଥିବା ଅସଦାଚରଣ ଘଟଣାକୁ ନେଇ ଏକ ଅପ୍ରୀତିକର ଘଟଣା ଘଟିଥିଲା । ଅସଦାଚରଣ ଘଟାଇଥିବା ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ସ୍ଥାନୀୟ ଲୋକମାନେ ଥାନା ଘେରାଉ କରି ପ୍ରତିବାଦ କରୁଥିବା ବେଳେ, ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଭାବେ ପୋଲିସ ଆକ୍ରମଣ କରିଥିଲା । ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ, ପୋଲିସ ପ୍ରତିବାଦକାରୀଙ୍କ ଉପରେ ଆକ୍ରମଣ କରିବା ନିନ୍ଦନୀୟ । ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ମିଳିତ ଆଦିବାସୀ ମଞ୍ଚ ଦ୍ୱାରା ଚାଲୁଥିବା ଆନେ୍ଦାଳନକୁ ପୂର୍ଣ୍ଣ ସମର୍ଥନ ଜଣାଇଛି । ଆଗାମୀ ଦିନରେ ନ୍ୟାୟ ପାଇଁ ମିଳିତ ଆଦିବାସୀ ମଞ୍ଚ ଯେକୌଣସି ନିଷ୍ପତ୍ତି ନେବ, ତାହାକୁ ବିଜୁ ଜନତା ଦଳ ପୂର୍ଣ୍ଣ ସମର୍ଥନ ଜଣାଇବ ।
ଡ଼ ପ୍ରିୟବ୍ରତ ମାଝୀ କହିଥିଲେ, ପୋଲିସର ନିଷ୍କ୍ରିୟତାକୁ ଆମେ ଦୃଢ଼ ଭାବେ ନିନ୍ଦା କରୁଛୁ । ବିଶେଷକରି ୧୪ ବର୍ଷୀୟା ଆଦିବାସୀ ବାଳିକାଙ୍କ ସହ ହୋଇଥିବା ଗୁରୁତର ଅପରାଧ ମାମଲାରେ ପୋଲିସର ବ୍ୟାପକ ଅବହେଳା ପାଇଁ ସାଧାରଣ ଜନତାଙ୍କ ଭରସା ପୋଲିସ୍ ଉପରୁ ଉଠିଯାଉଛି । ବିଜୁ ଜନତା ଦଳ ପୂର୍ବରୁ ଏସଟି କମିଶନ ସମ୍ମୁଖରେ ରାୟଗଡ଼ା, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ (ବୋରିଗୁମ୍ମା), ଲମ୍ପତାପୁଟ ଓ ସୁନ୍ଦରଗଡ଼ ଇତ୍ୟାଦି ଜିଲ୍ଲାରେ ଘଟିଥିବା ଏପରି ଲଜ୍ଜାଜନକ ଘଟଣା ସମ୍ପର୍କରେ ସୂଚନା ଦେଇଥିଲା । ଏହି ଘଟଣାରେ ଅବହେଳା କରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ ତୁରନ୍ତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ବିଜୁ ଜନତା ଦଳ ଦାବି କରୁଛି । ଓଡ଼ିଶାରେ ଆଦିବାସୀ ମହିଳାଙ୍କ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ପାଇଁ ବିଜୁ ଜନତା ଦଳ ସର୍ବଦା ଲଢ଼େଇ ଜାରି ରଖିବ ବୋଲି ଡ଼ ମାଝୀ କହିଥିଲେ ।

Leave a Reply

Your email address will not be published. Required fields are marked *