ଓଡ଼ିଶାର ସ୍ୱାର୍ଥ ବିରୋଧରେ ଭୋଟ ଦେଲେ ବିଜେପିର
୨୦ ଜଣ ସାଂସଦ: ବିଜେଡି

ମହିଳା ସଂରକ୍ଷଣକୁ ଆଳ କରି ଓଡ଼ିଶାର କ୍ଷତି ହେଉଥିବା ସୀମା ପୁନଃନିର୍ଦ୍ଧାରଣ ବିଲ୍୍ ସପକ୍ଷରେ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ଭୋଟ ଦେବା ଦୁର୍ଭାଗ୍ୟଜନକ ବୋଲି କହି ବିଜୁ ଜନତା ଦଳ ଏହାର ଦୃଢ଼ ନିନ୍ଦା କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ମୁଖ୍ୟ ସଚେତକ ତଥା ଦଳର ଉପସଭାପତି ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର, ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ହୋଇସାରିଥିବା ବେଳେ ତାକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ସୀମା ପୁନଃନିର୍ଦ୍ଧାରଣ ବିଲ୍ ସହିତ ଏହାକୁ ଯୋଡ଼ି ପୁନର୍ବାର ସଂସଦରେ ବିଲ୍କୁ ପାରିତ କରିବା ପାଇଁ ବିଜେପି ଷଡ଼ଯନ୍ତ୍ର କରିଥିଲା ବୋଲି କହିଥିଲେ ।
ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଥିଲେ, ୨୦୨୩ରେ ମହିଳା ସଂରକ୍ଷଣ ବିଲ୍ ପାରିତ ସମୟରେ ବିଜେଡିର ୧୨ ଜଣ ଲୋକସଭା ଓ ୯ ଜଣ ରାଜ୍ୟସଭା ସାଂସଦ ଏହାକୁ ସମର୍ଥନ କରିଥିଲେ । ଏହା ପୂର୍ବରୁ ୨୦୧୮ ମସିହାରେ ଓଡ଼ିଶା ବିଧାନସଭାରେ ୩୩% ମହିଳା ସଂରକ୍ଷଣ ପାଇଁ ସର୍ବସମ୍ମତ ପ୍ରସ୍ତାବ ପାରିତ କରି ଦେଶର ୨୨ଟି ଜାତୀୟ ଓ ଆଞ୍ଚଳିକ ଦଳ ନିକଟକୁ ବିଜେଡିର ପ୍ରତିନିଧି ମଣ୍ଡଳୀ ପଠାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ସମଗ୍ର ଦେଶରେ ମହିଳା ମାନଙ୍କୁ ସଂସଦ ଓ ବିଧାନସଭାରେ ଅଧିକ ସଂଖ୍ୟାରେ ପ୍ରତିନିଧିତ୍ୱ କରିବାକୁ ସୁଯୋଗ ଦେବା ପାଇଁ କେବଳ କଥାରେ ନୁହେଁ, କାମରେ କରି ଦେଖାଇଥିଲେ ଶ୍ରୀ ନବୀନ ପଟ୍ଟନାୟକ । ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ୍ ଦେଇ ଉଦାହରଣ ସୃଷ୍ଟି କରିଥିଲା ବିଜୁ ଜନତା ଦଳ । ମହିଳା ସଶକ୍ତିକରଣକୁ ନେଇ ବିଜେଡି ଉପରେ ହାସ୍ୟାସ୍ପଦ ଟିପ୍ପଣୀ ଦେଉଥିବା ରାଜ୍ୟ ବିଜେପି ନେତା ମାନେ ଇତିହାସ ପଢ଼ନ୍ତୁ ବୋଲି ଶ୍ରୀମତୀ ମଲ୍ଲିକ କହିଥିଲେ ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ, ସୀମା ପୁନଃନିର୍ଦ୍ଧାରଣ ବିଲ୍ ପାରିତ ହୋଇଥିଲେ ସଂସଦରେ ଓଡ଼ିଶାର ପ୍ରତିନିଧିତ୍ୱ ୩.୯ ପ୍ରତିଶତରୁ କମି ୩.୪ ପ୍ରତିଶତ ହୋଇଥାନ୍ତା । ଏହାଦ୍ୱାରା କେବଳ ଓଡ଼ିଶାର ସ୍ୱର ଦୁର୍ବଳ ହୋଇନଥାନ୍ତା, ତତ୍ସହିତ ଆର୍ଥିକ ଅନୁଦାନ କ୍ଷେତ୍ରରେ ଓଡ଼ିଶା ଯଥେଷ୍ଟ କ୍ଷତି ସହିଥାନ୍ତା । ବର୍ତ୍ତମାନର ରାଜ୍ୟ ବିଜେପି ସରକାର କେନ୍ଦ୍ର ନିକଟରୁ ଓଡ଼ିଶା ପାଇଁ ଅଧିକ ଅନୁଦାନ ଆଣିବା ପାଇଁ ଉଦ୍ୟମ କରିବା ପରିବର୍ତ୍ତେ ଓଡ଼ିଶାର ସ୍ୱାର୍ଥ ବିରୋଧରେ ଯାଇ ଏଭଳି ଏକ ବିଲ୍ ସପକ୍ଷରେ ୨୦ ଜଣ ସାଂସଦ ଭୋଟ ଦେବା ନିନ୍ଦନୀୟ । ମାନ୍ୟବର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ, ରାଜ୍ୟର ସମସ୍ତ ସାଂସଦଙ୍କୁ ଏ ବାବଦରେ ଚିଠି ଲେଖିବା ସହ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକି ଆଲୋଚନା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ । ଓଡ଼ିଶାର ସ୍ୱାର୍ଥ ବିରୋଧୀ ଏହି ବିଲ୍କୁ ସମର୍ଥନ କରି ଓଡ଼ିଆ ଅସ୍ମିତାର ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ଦଳର ଅସଲ ମୁଖା ଖୋଲିଯାଇଛି । ମହିଳା ସଶକ୍ତିକରଣ ପାଇଁ ବିଜେଡିର ପ୍ରତିବଦ୍ଧତା ଉପରେ ରାଜ୍ୟ ବିଜେପି ନେତା ମାନେ ପ୍ରଶ୍ନ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ବକ୍ସିପାତ୍ର କହିଥିଲେ ।

Leave a Reply

Your email address will not be published. Required fields are marked *