ଖଣ୍ଡପଡା ଏସ୍ଡିପିଓଙ୍କ ନାଁରେ ଯୌନଶୋଷଣ ଅଭିଯୋଗ ପ୍ରସଙ୍ଗ

ନ୍ୟାୟ ପାଇଁ ଥାନାକୁ ଯାଇଥିବା ଜନୈକ ମହିଳା ଖଣ୍ଡପଡା ଏସ୍ଡିପିଓଙ୍କ ଦ୍ୱାରା ନିର୍ଯାତନାର ଶୀକାର ହୋଇଛନ୍ତି । ଏ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରମାଣ ପୋଲିସ ମହାନିଦେ୍ର୍ଦଶକଙ୍କୁ ଦେଇସାରିଥିଲେ ମଧ୍ୟ ଏଯାଏଁ ପୀଡିତାଙ୍କୁ ନ୍ୟାୟ ମିଳିପାରିନାହିଁ । ମହିଳା ସଶକ୍ତିକରଣ ସ୍ଲୋଗାନ ଦେଉଥିବା ଡବଲ୍ ଇଂଜିନ ସରକାରର ଏହା ଅସଲ ମୁଖା ବୋଲି ବିଜେଡି କହିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଛାତ୍ର ଜନତା ଦଳର ସଭାପତି ଇପ୍ସିତା ସାହୁ କହିଛନ୍ତି, ଡବଲ ଇଂଜିନ ସରକାରରେ ଦିନ ଦିନକୁ ନାରୀ ନିର୍ଯାତନା ବୃଦ୍ଧି ପାଉଥିଲା ବେଳେ ପୋଲିସ ଦ୍ୱାରା ଜଣେ ମହିଳା ଯୌନ ନିର୍ଯାତନା ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ । ଥାନାକୁ ଯାଇଥିବା ମହିଳା ଜଣକ ଖଣ୍ଡପଡା ଏସ୍ଡିପିଓଙ୍କ ଦ୍ୱାରା ବାରମ୍ବାର ଯୌନ ନିର୍ଯାତନାର ଶୀକାର ହେବାର ସମସ୍ତ ପ୍ରମାଣ ଗଣମାଧ୍ୟମ ଆଗରେ ଦେଇଥିଲେ ସୁଦ୍ଧା ସରକାର କୁମ୍ଭକର୍ଣ୍ଣ ନିଦ୍ରା ନଭାଙ୍ଗିବା, ଓଡିଶା ପୋଲିସ ପାଇଁ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି ।
ଗୃହ ବିଭାଗର ଦାୟିତ୍ୱରେ ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହିଳା ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଏଭଳି ଘଟଣାରେ ସମ୍ବେଦନହୀନ ହୋଇପାରୁଛନ୍ତି କିପରି? ନ୍ୟାୟ ନମିଳିଲେ ମହିଳା ଜଣଙ୍କ ଆତ୍ମହତ୍ୟା କରିବେ ବୋଲି ସେ ଗଣମାଧ୍ୟମରେ ଦେଇଥିବା ବିବୃତ୍ତି ଉଦ୍ବେଗଜନକ । ସଂପୃକ୍ତ ପୋଲିସ ଅଧିକାରୀ କାହା ଛତ୍ରଛାୟାରେ ସୁରକ୍ଷିତ ଅଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ପୀଡିତାଙ୍କୁ ନ୍ୟାୟ ନମିଳିଲେ ପୋଲିସ ଉପରୁ ଜନସାଧାରଣଙ୍କ ଆସ୍ଥା ତୁଟିଯିବ । ତୁରନ୍ତ ଖଣ୍ଡପଡା ଏସ୍ଡିପିଓଙ୍କୁ ଗିରଫ କରି ଏଭଳି ଘୃଣ୍ୟ କାର୍ଯ୍ୟରେ ସଂପୃକ୍ତି ଲାଗି ତାଙ୍କୁ ବହିଷ୍କାର କରାଯାଉ ବୋଲି ବିଜେଡି ଦାବି କରିଛି ।

Leave a Reply

Your email address will not be published. Required fields are marked *