କେନ୍ଦୁଝର ଜିଲ୍ଲାରେ ଜଣେ ଆଦିବାସୀ ଯୁବକ ଭଉଣୀର ଗଳିତ ଶରୀରକୁ ନେଇ ବ୍ୟାଙ୍କରେ ପହଁଞ୍ଚିବା ଘଟଣାରେ ଆଜି ବିଜୁ ଜନତା ଦଳ ନିନ୍ଦା ପ୍ରକାଶ କରିବା ସହିତ ଏହି ସମ୍ୱେଦନଶୀଳ ଘଟଣାରେ ଦାୟୀ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛି ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଦଳର ଉପସଭାପତି ଶ୍ରୀ ସୁଦାମ ମାରାଣ୍ଡି, ଏହି ଘଟଣା ସମଗ୍ର ରାଜ୍ୟକୁ ଲଜ୍ଜିତ ଓ ନିନ୍ଦିତ କରିଛି ବୋଲି କହିଛନ୍ତି ।
ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ଖବର ଅନୁଯାୟୀ, କେନ୍ଦୁଝର ଜିଲ୍ଲାର ଏରେଣ୍ଡେଇ ପଞ୍ଚାୟତର ଡିଆନାଳି ଗ୍ରାମରେ ରାଇବୁ ମୁଣ୍ଡା ଓ ଜିତୁ ମୁଣ୍ଡା ଦୁଇ ଭାଇ ରୁହନ୍ତି । ସେମାନଙ୍କ ପାଖରେ ତାଙ୍କର ସ୍ୱାମୀ ପରିତ୍ୟକ୍ତା ଭଉଣୀ କଲରା ମୁଣ୍ଡା ରହୁଥିଲେ । ପୂର୍ବରୁ ରାଇବୁ ମୁଣ୍ଡାଙ୍କ ମୃତୁ୍ୟ ହୋଇଥିବା ବେଳେ, କିଛି ମାସ ତଳେ କଲରା ମୁଣ୍ଡାଙ୍କ ଶରୀର ଅସୁସ୍ଥ ହୋଇଥିଲା । ସେହି ସମୟରେ ସ୍ଥାନୀୟ ଏକ ବ୍ୟାଙ୍କରେ କଲରା ମୁଣ୍ଡାଙ୍କ ନାମରେ ଥିବା ଏକ ଆକାଉଣ୍ଟରେ ପ୍ରାୟ ୨୦ ହଜାର ଟଙ୍କା ଥିଲା । ସେଥିରୁ ଟଙ୍କା ଉଠାଇ କଲରା ମୁଣ୍ଡାଙ୍କ ଚିକିତ୍ସା କରିବା ପାଇଁ ସାନଭାଇ ଜିତୁ ମୁଣ୍ଡା ଉଦ୍ୟମ କରିଥିଲେ । କିନ୍ତୁ ବ୍ୟାଙ୍କ ଅଧିକାରୀଙ୍କ ଅସହଯୋଗ ଯୋଗୁଁ ଟଙ୍କା ଉଠାଇବାରେ ସଫଳ ହୋଇପାରି ନଥିଲେ । ୨ ମାସ ତଳେ କଲରା ମୁଣ୍ଡାଙ୍କ ମୃତୁ୍ୟ ହୋଇଥିଲା । ମୃତୁ୍ୟ ପରେ ସାନ ଭାଇ ଜିତୁ ମୁଣ୍ଡା ସେହି ଅର୍ଥ ଉଠାଇବା ପାଇଁ ବ୍ୟାଙ୍କ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଥିଲେ । କଲରା ମୁଣ୍ଡା ଆସିଲେ ହିଁ ଟଙ୍କା ଉଠିପାରିବ ବୋଲି ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କର ଜଣେ କର୍ମଚାରୀ କହିଥିଲେ । ଅନ୍ୟ ଉପାୟ ନପାଇ ଜିତୁ ମୁଣ୍ଡା କବର ଖୋଳି ତାଙ୍କ ଭଉଣୀର କଙ୍କାଳ ଧରି ବ୍ୟାଙ୍କରେ ପହଞ୍ଚିଥିଲେ ।
ଶ୍ରୀ ମିଶ୍ର ଆହୁରି କହିଥିଲେ, ଏହି ଘଟଣା ବ୍ୟାଙ୍କ ଅଧିକାରୀଙ୍କ ସମ୍ୱେଦନହୀନ ମନୋଭାବକୁ ପ୍ରଦର୍ଷିତ କରୁଥିବା ବେଳେ ଏହା ସମଗ୍ର ରାଜ୍ୟ ପାଇଁ ଲଜ୍ଜ୍ୟା ଓ ନିନ୍ଦା ଆଣିଛି । ରାଜ୍ୟ ନିଜେପି ସରକାର ନିଜକୁ ଲୋକଙ୍କ ସରକାର କହୁଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଜଣେ ଅବହେଳିତ ଆଦିବାସୀ ମହିଳା ଚିକିତ୍ସା ପାଇଁ ଅବହେଳାର ଶିକାର ହୋଇ ମୃତୁ୍ୟବରଣ କରିଛନ୍ତି । ତାଙ୍କ ସଞ୍ଚିତ ଅର୍ଥ ମଧ୍ୟ ତାଙ୍କ ପରିବାର ସଦସ୍ୟ ପାଇବା ପାଇଁ ହିନସ୍ତା ହୋଇଛନ୍ତି, ଯାହା ଯୋଗୁଁ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । କ୍ଷେତ୍ରୀୟ ପ୍ରଶାସନିକ ବିଫଳତାର ଫଳ ସ୍ୱରୂପ ଏଭଳି ଘଟଣା ଘଟିଛି । ତେଣୁ ଏଥିରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଏହି ସମ୍ୱେଦନଶୀଳ ଘଟଣାକୁ ଅଧିକ ଅନୁଧ୍ୟାନ କରିବା ପାଇଁ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏକ ପ୍ରତିନିଧି ମଣ୍ଡଳୀ ଘଟଣାସ୍ଥଳକୁ ଯାଇ ଏକ ରିପୋର୍ଟ ପ୍ରସ୍ତୁତ କରି ସଭାପତିଙ୍କ ନିକଟରେ ହସ୍ତାନ୍ତର କରିବ ।
ଶ୍ରୀ ସୁଦାମ ମାରାଣ୍ଡି କହିଥିଲେ, ଦୁଃଖ ଓ ପରିତାପର ବିଷୟ ଯେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଜଣେ ଆଦିବାସୀ ନେତା କାର୍ଯ୍ୟ କରୁଥିବା ବେଳେ ଜଣେ ଆଦିବାସୀ ପରିବାର ସହିତ ଏଭଳି ସମ୍ୱେଦନହୀନ ଘଟଣା ଘଟୁଛି । ଏହି ଘଟଣା ଆଜିର ସଭ୍ୟ ସମାଜକୁ ଲଜ୍ଜିତ ଓ ନିନ୍ଦିତ କରିଛି । କେବଳ ଏହି ଘଟଣା ନୁହେଁ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଦିବାସୀ ମାନଙ୍କ ଉପରେ ଅତ୍ୟାଚାର ବୃଦ୍ଧି ପାଇବାରେ ଲାଗିଛି । ନିକଟରେ ରାୟଗଡା ଜିଲ୍ଲାର ସିଜିମାଳି ଅଞ୍ଚଳରେ ନିରୀହ ଆଦିବାସୀ ମାନଙ୍କ ଉପରେ ପୋଲିସ ଓ ପ୍ରଶାସନିକ ଅଧିକାରୀମାନେ ଅକଥନୀୟ ଅତ୍ୟାଚାର କରିଥିଲେ । କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରେ ଇତୋ ଏକ୍କା ନାମକ ଜଣେ ଆଦିବାସୀ ଯୁବକକୁ ଜେସିବି ତଳେ ଚାପି ମାରି ଦିଆଯାଇଥିଲା । ମୟୂରଭଞ୍ଜ ଜିଲ୍ଲାର ବହଳଦା ଅଞ୍ଚଳରେ ଜଣେ ଆଦିବାସୀ ଯୁବତୀ ଉପରେ ହୋଇଥିବା ଅତ୍ୟାଚାର ବିରୋଧରେ ଯେତେବେଳେ ସ୍ଥାନୀୟ ବାସିନ୍ଦା ପ୍ରତିବାଦ କଲେ, ସେତେବେଳେ ୧୪ ଜଣ ଆଦିବାସୀ ଯୁବକ, ଯୁବତୀଙ୍କୁ ନେଇ ଜେଲରେ ଭର୍ତ୍ତି କରାଗଲା । ସେହି ମୟୂରଭଞ୍ଜ ଜିଲ୍ଲାର ଏକ କନ୍ୟାଶ୍ରମ ସ୍କୁଲରେ ବିଷାକ୍ତ ଖାଦ୍ୟ ଖାଇ ୧୫୦ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଲେ ଓ ଜଣେ ଛାତ୍ରୀର ମୃତୁ୍ୟ ହେଲା । ସରକାର ଘଟଣାକୁ ହାଲୁକା ଭାବେ ନେଇ ମାତ୍ର ୭ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଦେଲେ । ଏଠାରେ ପ୍ରଶ୍ନ ଉଠୁଛି ଯେ, ଏସସିବି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ମୃତୁ୍ୟ ହୋଇଥିବା ଲୋକଙ୍କ ପାଇଁ ୨୫ ଲକ୍ଷ ଅନୁକମ୍ପା ରାଶି ଦେଇଥିବା ବେଳେ ଆଦିବାସୀ ଯୁବତୀ ପାଇଁ ମାତ୍ର ୭ ଲକ୍ଷ ଟଙ୍କା କାହିଁକି ?
2026-04-29

