ବରଗଡ ଧନୁଯାତ୍ରାର ସ୍ୱାଗତ ତୋରଣ ଭାଙ୍ଗିଯିବା ଘଟଣା:ସାଂସଦ ପ୍ରଦୀପ ପୁରୋହିତ ଆଣିଥିବା ଆର୍ଥିକ ଅନିୟମିତତା ଅଭିଯୋଗର ତଦନ୍ତ କରନ୍ତୁ ମୋହନ ସରକାର: ବିଜେଡି

ଗତ ଦୁଇ ବର୍ଷ ହେଲା ସାରା ରାଜ୍ୟରେ ଦୁର୍ନୀତି, ନାରୀ ନିର୍ଯାତନା, ଆଇନଶୃଙ୍ଖଳା ବିପର୍ଯ୍ୟୟ ଆଦି ଦୈନଦିନ ଘଟଣାରେ ପରିଣତ ହେଲାଣି । ପୂର୍ବରୁ ସାଧାରଣ ଲୋକେ ପ୍ରଶ୍ନ ଉଠାଉଥିଲେ, ଏବେ କିନ୍ତୁ ଖୋଦ୍ ବିଜେପି ସରକାରଙ୍କର ସାଂସଦ ପ୍ରଶ୍ନ ଉଠାଇଲେଣି । ପ୍ରସିଦ୍ଧ ବରଗଡ ଧନୁଯାତ୍ରା ସ୍ୱାଗତ ତୋରଣ ଭାଙ୍ଗିଯିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଜେପି ବରଗଡ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ । ଏହାର ସଠିକ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ରାଜ୍ୟ ସରକାର ଏହାର ଯୁକ୍ତିଯୁକ୍ତ ତଦନ୍ତ କରି ଦୋଷୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବିଜେଡି କହିଛି ।
ଏକ ପ୍ରେସ ବିବୃତ୍ତିରେ ବିଜେଡି ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ଦୁର୍ନୀତିର ସୀମା ଟପିଲାଣି ବିଜେପି ସରକାରରେ । ପୂର୍ବରୁ ସାଧାରଣ ଲୋକ ଅଭିଯୋଗ କରୁଥିଲେ ଏବେ କିନ୍ତୁ ଖୋଦ୍ ବିଜେପି ଦଳର ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଅଭିଯୋଗ ଆଣିଲେଣି । ତେଣୁ ଶ୍ରୀ ପୁରୋହିତ ଆଣିଥିବା ଅଭିଯୋଗର ଯୁକ୍ତିଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାରେ ଅସୁବିଧା କେଉଁଠି?
ଡ. ମହାନ୍ତି ଆହୁରି କହିଛନ୍ତି, ବରଗଡ ଧନୁଯାତ୍ରାର ଶୋଭାକୁ ବଢାଇବା ପାଇଁ ୨ରୁ ୨.୫ କୋଟି ବ୍ୟୟରେ ବରଗଡ ଥାନା ସମ୍ମୁଖରେ ସ୍ୱାଗତ ତୋରଣ ଗେଟ୍ ନିର୍ମିତ ହୋଇଥିଲା । କିନ୍ତୁ ଝଡତୋଫାନରେ ଏହା ଭାଙ୍ଗି ଯାଇଛି । ତୋରଣ ନିର୍ମାଣ ସମୟରେ ଦୁର୍ନୀତି ତଥା ଅନିୟମିତତା ହେଉଥିବା ଅନୁଭବ କରି ପୂର୍ବରୁ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ମଧ୍ୟ ପୂଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅନୁରୋଧ କରିଥିଲେ । ସେତେବେଳେ ସରକାର ନିଦାବିଷ୍ଣୁ ଥିଲେ । କିନ୍ତୁ ଏବେ ଏହାର ସଠିକ୍ ତଦନ୍ତ କରି ଏଜେନ୍ସି ତଥା ସଂପୃକ୍ତ ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି କାହିଁକି ରାଜ୍ୟ ସରକାର ଏହାର ତଦନ୍ତ କରୁ ନାହାନ୍ତି । କାହିଁକି ମୋହନ ସରକାର ଦୁର୍ନୀତିକୁ ପ୍ରଶ୍ରୟ ଦେଉଛି । ଗୋଟିଏ ପଟେ ସାଧାରଣ ଲୋକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଅହେତୁକ ବୃଦ୍ଧିକୁ ନେଇ କଷ୍ଟରେ ଥିଲା ବେଳେ ଅନ୍ୟପଟେ ସାରା ରାଜ୍ୟରେ ରାହାଜାନୀ, ଚୋରି ଡକାୟତି, ନାରୀ ଅସୁରକ୍ଷିତ ଓ ଆଇନଶୃଙ୍ଖଳାର ଖୋଲା ଉଲ୍ଲଂଘନ ବଢିବାରେ ଲାଗିଛି । କିନ୍ତୁ ନିଘୋଡ ନିଦରେ ଶୋଇଥିବା ବିଜେପି ସରକାରରେ ଦୁର୍ନୀତି ଓ ଅନିୟମିତତାର ଚେର ବଢିବାରେ ଲାଗିଛି । ବରଗଡ ଧନୁଯାତ୍ରାର ସ୍ୱାଗତ ତୋରଣ ନିର୍ମାଣର ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ରାଜ୍ୟ ସରକାର ନିଦେ୍ର୍ଦଶ ଦିଅନ୍ତୁ, ନଚେତ ଏ ଘଟଣାକୁ ନେଇ ଆଗାମୀ ଦିନରେ ବିଜେଡି ଜୋରଦାର ବିରୋଧ କରିବ ବୋଲି ଡ. ମହାନ୍ତି କହିଛନ୍ତି ।

Leave a Reply

Your email address will not be published. Required fields are marked *