ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ସାକ୍ଷାତ କଲା ବିଜେଡି ପ୍ରତିନିଧି ମଣ୍ଡଳୀ

ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଆଜି ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ସାକ୍ଷାତ କରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପାରଦର୍ଶିତାମୂଳକ ଓ ଜନବିଶ୍ୱାସୀ କରିବା ଉଦେ୍ଦଶ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ନିର୍ବାଚନ କମିଶନରଙ୍କୁ ପ୍ରଦାନ କରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀରେ ବିଜେଡିର ଉପସଭାପତି ଶ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ଶ୍ରୀ ଅଶୋକ ପଣ୍ଡା, ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର (ମଧ୍ୟ) ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବରିଷ୍ଠ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ସାଧାରଣ ସମ୍ପାଦକ ଶ୍ରୀ ବିଜୟ ନାୟକ, ମିଡିଆ ସେଲ ସଂଯୋଜକ ଓ ମୁଖପାତ୍ର ଡ. ଲେନିନ ମହାନ୍ତି ଏବଂ ବରିଷ୍ଠ ନେତା ଶ୍ରୀ ରବି ସାମଲ ସାମିଲ ଥିଲେ । ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ତିନୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ସେଗୁଡିକ ହେଲା,
ପ୍ରଥମତଃ, ବୁଥ୍ ସ୍ତରୀୟ ଅଧିକାରୀଙ୍କ ଆପ୍ ମାଧ୍ୟମରେ ଗଣନା ଫର୍ମର ଡିଜିଟାଲ ନଥିକରଣ ସମ୍ପୂର୍ଣ୍ଣ ହେବା ପରେ ସମ୍ପୃକ୍ତ ଭୋଟରଙ୍କୁ ତୁରନ୍ତ ଏକ ସ୍ୱୀକୃତି ବାର୍ତ୍ତା ପଠାଯିବାକୁ ବିଜେଡି ଅନୁରୋଧ କରିଥିଲା । ଏହା ଦ୍ୱାରା ଭୋଟରମାନେ ନିଜ ଫର୍ମ ସଫଳତାର ସହ ଗ୍ରହଣ ଏବଂ ନଥିଭୁକ୍ତ ହୋଇଥିବାର ନିଶ୍ଚିତତା ପାଇପାରିବେ, ଯାହା ସମଗ୍ର ପ୍ରକ୍ରିୟାର ସ୍ୱଚ୍ଛତା ଓ ଜନବିଶ୍ୱାସକୁ ଆହୁରି ସୁଦୃଢ଼ କରିବ ।
ଦ୍ୱିତୀୟତଃ, ଭୋଟର ତାଲିକା ସଂଶୋଧନ ସମୟରେ ଦାବି ଓ ଆପତ୍ତି ପର୍ଯ୍ୟାୟରେ ପାନ୍ କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ରାସନ କାର୍ଡକୁ ଅତିରିକ୍ତ ସୂଚକ ଦଲିଲ ଭାବେ ଗ୍ରହଣ କରିବାକୁ ନିର୍ବାଚନ କର୍ତ୍ତୃପକ୍ଷଙ୍କୁ ବିଚାର କରିବା ପାଇଁ ପ୍ରତିନିଧି ଦଳ ଅନୁରୋଧ କରିଥିଲା । ଏହା ଦ୍ୱାରା ଅଧିକ ସଂଖ୍ୟକ ଯୋଗ୍ୟ ଭୋଟର ନିଜର ପରିଚୟ ଓ ଯୋଗ୍ୟତା ସ୍ଥାପନ କରି ନିର୍ବାଚନୀ ଅଧିକାରର ସୁବିଧାଜନକ ପ୍ରୟୋଗ କରିପାରିବେ ।
ତୃତୀୟତଃ, ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ସମୟରେ ନିରବଚ୍ଛିନ୍ନ ଯୋଗାଯୋଗ, ତ୍ୱରିତ ସମସ୍ୟା ସମାଧାନ ଏବଂ ସୁଚାରୁ ସମନ୍ୱୟ ସୁନିଶ୍ଚିତ କରିବା ଲକ୍ଷ୍ୟରେ ନିର୍ବାଚନ ଅଧିକାରୀ ଏବଂ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ନେଇ ଉପଯୁକ୍ତ ସ୍ତରରେ ସ୍ୱତନ୍ତ୍ର ହ୍ୱାଟସ୍ଆପ୍ ଗୋଷ୍ଠୀ ଗଠନ କରିବାକୁ ବିଜେଡି ପ୍ରସ୍ତାବ ଦେଇଥିଲା । ବିଜେଡି ପ୍ରତିନିଧି ଦଳ ମତ ପ୍ରକାଶ କରିଥିଲେ ଯେ, ଏହି ପଦକ୍ଷେପଗୁଡ଼ିକ ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ସହିତ ଭୋଟରମାନଙ୍କ ସୁବିଧା ବୃଦ୍ଧି କରିବ ଏବଂ ଏହା ଅଧିକ ଦକ୍ଷ, ଅନ୍ତର୍ଭୁକ୍ତିମୂଳକ ଓ ସଫଳ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଗଠନରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *