ଭେନେଜୁଏଲାରେ ଭୂକମ୍ପ ପୀଡିତଙ୍କୁ ଭେଟିଲେ ପୂର୍ବତନ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ

ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ମଡେଲ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି । ଭୂକମ୍ପ ବିପର୍ଯ୍ୟୟ ପରିଚାଳନା ପାଇଁ ଓଡ଼ିଶାର କାର୍ଯ୍ୟଦକ୍ଷତାକୁ ଆପଣାଇଛନ୍ତି ଭେନେଜୁଏଲା ସରକାର । ଏଥିପାଇଁ ଭେନଜୁଏଲା ସରକାର ପୂର୍ବତନ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଆମନ୍ତ୍ରଣ କରି ତାଙ୍କ ସହ ବିପର୍ଯ୍ୟୟ ପରିଚାଳନା ଓ ଉଦ୍ଧାର କାର୍ଯ୍ୟ ନେଇ ଆଲୋଚନା କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଶାସନ ସମୟରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସାରା ବିଶ୍ୱରେ ରୋଲ ମଡେଲ ସାଜିଥିଲା । ୧୯୯୯ ମସିହାରେ ପ୍ରଳୟଙ୍କାରୀ ମହାବାତ୍ୟାର ପରିଚାଳନା କରି ଆଧୁନିକ ଓଡ଼ିଶା ଗଠନ କରିଥିଲେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ । ତାଙ୍କରି ଦିଗ୍ଦର୍ଶନରେ ଭି.କେ ପାଣ୍ଡିଆନ ଫାଇଲିନ, ତିତ୍ଲି, ହୁଡୁହୁଡୁ, ଫନି, ଆମ୍ଫାନ ଭଳି ଅନେକ ପ୍ରଳୟଙ୍କାରୀ ବାତ୍ୟାର ସଫଳ ପରିଚାଳନା କରିଛନ୍ତି ।
ବାତ୍ୟାର ଗତିପଥକୁ ସଠିକ୍ ଭାବରେ ଆକଳନ କରି ପୂର୍ବରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରିବା ଫଳରେ ବାତ୍ୟାରେ ଶୂନ୍ୟ ମୃତାହତ ହୋଇଛି । ବାତ୍ୟା ପରେ ଲୋକଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିବା, ଲୋକଙ୍କୁ ଥଇଥାନ ବ୍ୟବସ୍ଥା କରିବା, କ୍ଷୟକ୍ଷତିର ଯାଞ୍ଚ କରି କ୍ଷତିପୂରଣ ପ୍ରଦାନ କରିବା ଆଦି ଅତି ସୁଗମ ଭାବେ ପରିଚାଳନ କରିଥିଲେ । ଯାହାକି ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଁଟିଛି । ଏମିତିକି ଜାତିସଂଘ ମଧ୍ୟ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା ମଡେଲକୁ ଅନେକ ପ୍ରଶଂସା କରିଛି । ଯାହାକୁ ନେଇ ଭେନେଜୁଏଲା ସରକାର ଭୂକମ୍ପ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ମଡେଲକୁ ଖୋଜିଛନ୍ତି । ଭେନେଜୁଏଲା ସରକାରଙ୍କ ଆମନ୍ତ୍ରଣରେ ଭି.କେ ପାଣ୍ଡିଆନ ଭେନେଜୁଏଲା ଯାଇ ଭୂକମ୍ପ ପରିଚାଳନା ନେଇ ଭେନେଜୁଏଲା ରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ସମୟରେ ସେ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶାର ସଫଳ ମଡେଲ୍, ଅଭିଜ୍ଞତା ବିଷୟରେ ଜଣାଇଥିଲେ । ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଓଡ଼ିଶା ଶୂନ୍ୟ ଜୀବନହାନି ମିଶନରେ କାମ କରି ସାରା ବିଶ୍ୱରେ ପ୍ରଶଂସିତ ହୋଇଛି । ସେହି ଅଭିଜ୍ଞତାକୁ ସେ ଭେନେଜୁଏଲା ସରକାରଙ୍କ ସହ ବାଣ୍ଟିଛନ୍ତି । ଏହାସହିତ ପୀଡ଼ିତ ମାନଙ୍କୁ ଭେଟି ଆଲୋଚନା କରିବା ସହିତ ଭୂକମ୍ପ ପରବର୍ତ୍ତୀ ଉଦ୍ଧାର ଓ ଥଇଥାନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମଡେଲ ପାଇଁ ଭି.କେ ପାଣ୍ଡିଆନଙ୍କ କାର୍ଯ୍ୟଦକ୍ଷତା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ସାଉଁଟିଛି । ଓଡ଼ିଶାବାସୀଙ୍କୁ ବିପର୍ଯ୍ୟୟ ସମୟରେ ସୁରକ୍ଷା ଦେବାର ଅଭିଜ୍ଞତା ସେ ଆନ୍ତର୍ଜାତୀୟ ସ୍ତରରେ ପ୍ରଦାନ କରିଛନ୍ତି । ଆଜି ବିଶ୍ୱ ଦରବାରରେ ଓଡ଼ିଶାର ସୁନାମକୁ ସେ ଆଗକୁ ବଢ଼ାଇଛନ୍ତି ।

Leave a Reply

Your email address will not be published. Required fields are marked *