ଓଡ଼ିଶାର ଖଣି ରାଜସ୍ୱ ଦିଲ୍ଲୀ ଚାଲିଯିବ ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା : ବିଜେଡି

ଡବଲ ଇଞ୍ଜିନ ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେବାରେ ଲାଗିଛି । ରାଜ୍ୟରେ ଥିବା ଖଣି, ଖାଦାନର ମାଲିକ ଓଡ଼ିଶାବାସୀ ହୋଇଥିବା ବେଳେ, ଏମଏମଡିଆର ଆଇନର ସଂଶୋଧନ ହେଲେ ଓଡ଼ିଶା ପ୍ରଭୃତ କ୍ଷତି ସହିବ ବୋଲି କହି ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ।
ଶ୍ରୀ ପ୍ରୀତି ରଞ୍ଜନ ଘଡ଼େଇ କହିଥିଲେ ଯେ, ବିଜେପି କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଥିବା ବେଳେ ଖଣି ରାଜସ୍ୱ ଓଡ଼ିଶାବାସୀଙ୍କ ବିକାଶ କାର୍ଯ୍ୟରେ ବିନିଯୋଗ ହୋଇପାରୁ ନାହିଁ । ଖଣିଜ ସମ୍ପଦରୁ ଆସୁଥିବା ଅର୍ଥକୁ କେନ୍ଦ୍ର ସରକାର ନେଇଯାଉଥିବା ବେଳେ ରାଜ୍ୟ ସରକାର ଚୁପ୍ ହୋଇ ବସି ରହିଛନ୍ତି । ଖଣିଜ ସମ୍ପଦର ରୟାଲିଟି ଅର୍ଥକୁ ଡିଏମଏଫ ଜରିଆରେ ରାଜ୍ୟବାସୀଙ୍କ ବିକାଶ ନିମନ୍ତେ ଖର୍ଚ୍ଚ କରାଯାଏ, କିନ୍ତୁ ତାହା ନ କରି କେନ୍ଦ୍ର ହାତରେ ଟେକି ଦେବାକୁ ଯୋଜନା କରୁଛନ୍ତି ରାଜ୍ୟ ସରକାର । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇ ଖଣିରୁ ଆଦାୟ ହେବାକୁ ଥିବା ସମସ୍ତ ରାଜସ୍ୱ ରାଜ୍ୟବାସୀଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ବିଧିବଦ୍ଧ ଯୋଜନା ଆରମ୍ଭ ହୋଇଯାଇଛି । ବିନା ଚର୍ଚ୍ଚାରେ ସଂସଦରେ ପାରିତ ହୋଇଥିବା ଏହି ବିଲ୍କୁ ରାଜ୍ୟରୁ ନିର୍ବାଚିତ ହୋଇଥିବା ୨୦ ଜଣ ବିଜେପି ସାଂସଦ ସମର୍ଥନ ଜଣାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସଂଘୀୟ ବ୍ୟବସ୍ଥାକୁ କୁଠାରଘାତ କରୁଥିବା ଏହି ବିଲ୍କୁ କିଭଳି ରାଜ୍ୟ ବିଜେପି ସରକାର ଓ ସାଂସଦମାନେ ଗ୍ରହଣ କରିନେଲେ, ସେ ବାବଦରେ ରାଜ୍ୟବାସୀଙ୍କ ନିକଟରେ ଉତ୍ତର ରଖନ୍ତୁ । ଓଡ଼ିଶାର ଖଣି ରାଜ୍ୟର ବିକାଶରେ ବିନିଯୋଗ ନ ହୋଇ ଅନ୍ୟ ରାଜ୍ୟର ବିକାଶରେ ବିନିଯୋଗ ହେବ, ଏହା ଗ୍ରହଣୀୟ ନୁହେଁ ।
ଶ୍ରୀ ଭୃଗୁ ବକ୍ସିପାତ୍ର କହିଥିଲେ ଯେ, ଏମ୍ଏମ୍ଡିଆର ଆକ୍ଟର ସଂଶୋଧନ କରି ଓଡ଼ିଶାକୁ ଲୁଟିବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରିଛନ୍ତି । ଦଳୀୟ ସ୍ୱାର୍ଥ ପାଇଁ କେନ୍ଦ୍ର ସରକାର ଏହି ବିଲ୍ ସଂସଦରେ ପାରିତ କରିଛନ୍ତି । ଖଣିଜ ସମ୍ପଦରେ ପରିପୂର୍ଣ୍ଣ ଓଡ଼ିଶାର ଉନ୍ନତି ପାଇଁ ରାଜ୍ୟ ସରକାର ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି ବୋଲି ସୁପ୍ରିମକୋର୍ଟ ରାୟ ଦେଇଥିଲେ ସୁଦ୍ଧା, କେନ୍ଦ୍ର ବିଜେପି ସରକାର ସୁପ୍ରିମକୋର୍ଟଙ୍କ ରାୟକୁ ବେଖାତିର ଆମ ଅଧିକାରକୁ ଛଡ଼େଇ ନେଉଛନ୍ତି । ଖଣି ମାଲିକ ମାନଙ୍କ ଉପରେ ବକେୟା ଥିବା ଦେଢ଼ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ୨୦୨୪ ମସିହା ଜୁଲାଇ ମାସରେ ସୁପି୍ରମକୋର୍ଟ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ, ରାଜ୍ୟ ବିଜେପି ସରକାର ଏହି ଅର୍ଥ ଆଦାୟ କରିବା ପାଇଁ ସାମାନ୍ୟ ଚେଷ୍ଟା କଲେନାହିଁ । ଅପରପକ୍ଷରେ ରାଜ୍ୟ ପାଉଥିବା ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱକୁ କେନ୍ଦ୍ର ହାତକୁ ଟେକିଦେବେ ଏହି ଆଇନ ଜରିଆରେ । ନୂତନ ବିଲ୍ ଅନୁଯାୟୀ, କୌଣସି ଖଣି ମାଲିକଙ୍କ ଠାରୁ ରାଜ୍ୟ ସରକାର ଆଉ ବକେୟା ଅର୍ଥ ଆଦାୟ କରିପାରିବେ ନାହିଁ । ବଡ଼ ବଡ଼ କର୍ପୋରେଟ୍ ସଂସ୍ଥା ସହିତ ବିଜେପି ସରକାର ଜଡ଼ିତ ରହି ରାଜ୍ୟର ଯେଉଁ ପ୍ରଭୃତ କ୍ଷତି କରୁଛନ୍ତି, ତାକୁ ଓଡ଼ିଶାବାସୀ ଆଦୌ କ୍ଷମା କରିବେ ନାହିଁ । ଏମଏମଡିଆର ଆଇନ ସଂଶୋଧନ ବିଲ୍କୁ ରାଜ୍ୟସଭାରେ ବିଜୁ ଜନତା ଦଳ ଦୃଢ଼ ବିରୋଧ କରିଥିଲା । ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ।

Leave a Reply

Your email address will not be published. Required fields are marked *