ଏମଏମଡିଆର ସଂଶୋଧନ ଆଇନ ବିରୋଧରେ ସୁନ୍ଦରଗଡ଼ରେ ବିଜେଡିର ବିଶାଳ ପ୍ରତିବାଦ

ଏମ୍ଏମ୍ଡିଆର ସଂଶୋଧନ ଆଇନକୁ ବିରୋଧ କରିବା ସହ ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଆର୍ଥିକ ସ୍ୱାୟତ୍ତତାକୁ ଦୁର୍ବଳ କରିବାର ପ୍ରୟାସ ବିରୋଧରେ ବିଜୁ ଜନତା ଦଳ ପକ୍ଷରୁ ଆଜି ସୁନ୍ଦରଗଡ଼ରେ ଏକ ବିଶାଳ ପ୍ରତିବାଦ ପ୍ରଦର୍ଶନ ଓ ଆର୍ଥିକ ଅବରୋଧ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଆରମ୍ଭରେ ବିଜେଡି ନେତା ଓ କର୍ମୀମାନେ ଭାରତରତ୍ନ ଡ. ବି. ଆର୍. ଆମ୍ୱେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହାପରେ ଏକ ବିଶାଳ ରାଲି ଆୟୋଜିତ ହୋଇ ବସୁନ୍ଧରା ଦୁର୍ଗା ମଣ୍ଡପ ସମ୍ମୁଖସ୍ଥ ପଡ଼ିଆରେ ପହଞ୍ଚିଥିଲା, ଯେଉଁଠାରେ ସୁନ୍ଦରଗଡ଼ ବିଧାୟକ ତଥା ଜିଲ୍ଲା ସଭାପତି ଶ୍ରୀ ଯୋଗେଶ ସିଂହଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା ।
ଏହି ରାଲି ଓ ସାଧାରଣ ସଭାରେ ପ୍ରାୟ ୩,୦୦୦ରୁ ୪,୦୦୦ ବିଜେଡି କର୍ମୀ ଓ ସମର୍ଥକ ଯୋଗ ଦେଇଥିଲେ । ରତ୍ନଗର୍ଭା ଓଡ଼ିଶା ଦେଶର ଆର୍ଥିକ ଓ ଶିଳ୍ପ ବିକାଶରେ ଏକ ବଡ଼ ଭୂମିକା ନିଭାଇ ଆସିଛି । କିନ୍ତୁ ଖଣିଜ ସମ୍ପଦ ଥିବା ଜିଲ୍ଲାଗୁଡ଼ିକର ଲୋକମାନେ ଖଣି ଖନନ ସହ ଜଡ଼ିତ ପରିବେଶଗତ, ସାମାଜିକ ଓ ଆର୍ଥିକ ପରିଣାମର ସମ୍ମୁଖୀନ ହୋଇଆସିଛନ୍ତି । ବିସ୍ଥାପନ, ପ୍ରଦୂଷଣ, ଜଙ୍ଗଲ ଓ କୃଷି ଜମିର ଅବକ୍ଷୟ ଏବଂ ପାରମ୍ପରିକ ଜୀବିକାରେ ବାଧା ସୃଷ୍ଟି ହେଉଥିବା ସମସ୍ୟା ରହିଛି । ଏମଏମଡିଆର ସଂଶୋଧନ ଆଇନ ଯୋଗୁଁ ଖଣିଜ ସମ୍ପଦ ଥିବା ଜମି ଉପରେ ରାଜ୍ୟ ସରକାରଙ୍କ ଟିକସ, ସେସ୍ କିମ୍ୱା ଶୁଳ୍କ ଲାଗୁ କରିବାର କ୍ଷମତା ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ, ଏହାର ବିରୋଧ କରାଯାଉଛି । ମାନ୍ୟବର ସୁପ୍ରିମକୋର୍ଟ ୨୦୨୪ ମସିହାରେ ଦେଇଥିବା ଏକ ରାୟରେ ଖଣିଜ ସମ୍ପଦ ଥିବା ଜମି ଉପରେ ଟିକସ ଲାଗୁ କରିବା ସମ୍ପର୍କରେ ରାଜ୍ୟ ସରକାରଙ୍କ କ୍ଷମତା ବିଷୟରେ ବିଚାର କରାଯାଇଥିଲା । ଓଡ଼ିଶାର ଆର୍ଥିକ ସ୍ୱାର୍ଥ ଓ ସାମ୍ୱିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଖଣିଜ ସମ୍ପଦ ସମ୍ପର୍କିତ ଯେକୌଣସି ଜାତୀୟ ନୀତି କାର୍ଯ୍ୟକାରୀ କରିବା ସମୟରେ ଏଥିପ୍ରତି ଦୃଷ୍ଟି ଦିଆଯାଉ ।
ସୁନ୍ଦରଗଡ ଏକ ଖଣି ସମୃଦ୍ଧ ଜିଲ୍ଲା ଏବଂ ଏଠାରେ ବହୁ ସଂଖ୍ୟକ ଆଦିବାସୀ ବସବାସ କରନ୍ତି । ପ୍ରାକୃତିକ ସମ୍ପଦର ସ୍ଥାୟୀ ଓ ସୁଚିନ୍ତିତ ପରିଚାଳନାରେ ଏହି ଜିଲ୍ଲାର ସିଧାସଳଖ ସ୍ୱାର୍ଥ ରହିଛି । ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଖଣି ପ୍ରଭାବିତ ଅଞ୍ଚଳର ବିକାଶରେ ଯଥେଷ୍ଟ ଭାବେ ବ୍ୟୟ କରାଯିବା ଉଚିତ । କାରଣ ଏଥିରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ସଡ଼କ, ଜଳସେଚନ, ପାନୀୟ ଜଳ, ନିଯୁକ୍ତି, ପରିବେଶ ପୁନରୁଦ୍ଧାର, ଥଇଥାନ ଏବଂ ଅନ୍ୟାନ୍ୟ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ ହୋଇପାରିବ । ଖଣିଜ ସମ୍ପଦ ଥିବା ରାଜ୍ୟଗୁଡ଼ିକର ଆର୍ଥିକ କ୍ଷମତାକୁ ସୀମିତ କରିପାରୁଥିବା ବ୍ୟବସ୍ଥା ଗୁଡ଼ିକର ସମୀକ୍ଷା କରାଯିବା ସହ ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ ସୁରକ୍ଷିତ ରଖାଯିବା ଉଚିତ । ଓଡ଼ିଶାର ଖଣିଜ ସମ୍ପଦ ଜାତୀୟ ସମ୍ପଦ ହୋଇଥିଲେ ମଧ୍ୟ ଏହି ସମ୍ପଦରୁ ମିଳୁଥିବା ଲାଭ ଓଡ଼ିଶାବାସୀଙ୍କୁ ମିଳିବା ଆବଶ୍ୟକ ।
ବିଜେଡି ନେତାମାନେ ଏମ୍ଏମ୍ଡିଆର ଖଣିଜ ଅଧିକାର ଓ ଖଣିଜ ବହୁଳ ଜମି ସମ୍ପର୍କରେ ରାଜ୍ୟ ସରକାରଙ୍କ ଟିକସ, ସେସ୍ ଏବଂ ଅନ୍ୟାନ୍ୟ ବୈଧ ଶୁଳ୍କ ଆଦାୟ କରିବାର କ୍ଷମତାକୁ ସୀମିତ କରିବାକୁ ଉଦ୍ଦିଷ୍ଟ ବ୍ୟବସ୍ଥାଗୁଡ଼ିକୁ ଦଳ ଦୃଢ଼ ବିରୋଧ କରିଥିଲା । ଏପରି ବ୍ୟବସ୍ଥା ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଓ ସହଯୋଗୀ ସଂଘୀୟ ବ୍ୟବସ୍ଥାର ନୀତି ଉପରେ ଗୁରୁତର ପ୍ରଭାବ ପକାଇବ ବୋଲି ଦଳ କହିଥିଲା । ଓଡ଼ିଶା ଦେଶର ଅନ୍ୟତମ ପ୍ରମୁଖ ଖଣିଜ ଉତ୍ପାଦନକାରୀ ରାଜ୍ୟ ଏବଂ ନିଜ ଖଣିଜ ସମ୍ପଦ ଉପରେ ରାଜ୍ୟର ବୈଧ ଆର୍ଥିକ ଅଧିକାରରୁ ଓଡ଼ିଶାକୁ ବଞ୍ଚିତ କରାଯିବା ଉଚିତ ନୁହେଁ । ସେମାନେ ଆହୁରି କହିଥିଲେ ଯେ ଓଡ଼ିଶାର ଖଣିଜ ସମ୍ପଦ ଏହାର ଲୋକଙ୍କର ଏବଂ ସୁନ୍ଦରଗଡ଼ ଭଳି ଖଣିଜ ସମୃଦ୍ଧ ଜିଲ୍ଲାଗୁଡ଼ିକର ସ୍ୱାର୍ଥ ସୁରକ୍ଷିତ ହେବା ଆବଶ୍ୟକ ।
ପ୍ରତିବାଦର ଅଂଶ ଭାବେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରମୁଖ ଖଣି ଓ ଶିଳ୍ପ ଅଞ୍ଚଳରେ ଆର୍ଥିକ ଅବରୋଧ କରାଯାଇଥିଲା । ଏଥିରେ ରାଜଗାଙ୍ଗପୁର, ଏନ୍ଟିପିସି ଦର୍ଲିପାଲି, ଓସିପିଏଲ କୋଇଲା ଖଣି, ଏନ୍ଟିପିସି କୋଇଲା ଖଣି, ଜାମକାନି କୋଇଲା ଖଣି, ବସୁନ୍ଧରା, ଗର୍ଜନବାହାଲ, ସିଆରମାଲ ଏବଂ କୁଲ୍ଡା କୋଇଲା ଖଣି ସମେତ ବିଭିନ୍ନ ସ୍ଥାନ ରହିଥିଲା । ଏମ୍ଏମ୍ଡିଆର ସଂଶୋଧନ ବିରୋଧରେ ବିଜେଡିର ଦୃଢ଼ ପ୍ରତିବାଦ ଦର୍ଶାଇବା ସହ ଓଡ଼ିଶାର ଖଣିଜ ସମ୍ପଦର ନିୟନ୍ତ୍ରଣ ଓ ବ୍ୟବହାର ସମ୍ପର୍କରେ ରାଜ୍ୟବାସୀଙ୍କ ଚିନ୍ତାକୁ ଉପସ୍ଥାପନ କରିବା ଉଦେ୍ଦଶ୍ୟରେ ଏହି ଅବରୋଧ ଆୟୋଜନ କରାଯାଇଥିଲା ।
ବିଜେଡି ନେତାମାନେ କହିଥିଲେ ଯେ ଏମ୍ଏମ୍ଡିଆର ସଂଶୋଧନ ଆଇନର ଯେଉଁ ବ୍ୟବସ୍ଥାଗୁଡ଼ିକ ଖଣିଜ ଉତ୍ପାଦନକାରୀ ରାଜ୍ୟଗୁଡ଼ିକର ସାମ୍ୱିଧାନିକ ଓ ଆର୍ଥିକ ଅଧିକାରକୁ ଦୁର୍ବଳ କରୁଛି ବୋଲି ଦଳ ମନେ କରୁଛି, ସେଗୁଡ଼ିକ ବିରୋଧରେ ବିଜେଡି ତାହାର ଗଣତାନ୍ତ୍ରିକ ଆନେ୍ଦାଳନ ଜାରି ରଖିବ । ସେମାନେ କହିଥିଲେ ଯେ ଓଡ଼ିଶାର ଖଣିଜ ସମ୍ପଦ, ଆର୍ଥିକ ସ୍ୱାୟତ୍ତତା, ସଂଘୀୟ ଅଧିକାର ଏବଂ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜେଡି ନିରନ୍ତର ଲଢ଼େଇ ଜାରି ରଖିବ ଏବଂ ଓଡ଼ିଶାର ବୈଧ ଦାବି ଓ ଚିନ୍ତାଗୁଡ଼ିକର ସମାଧାନ ନହେଲେ ଦଳ ତାହାର ଗଣତାନ୍ତ୍ରିକ ଆନେ୍ଦାଳନକୁ ଆହୁରି ତୀବ୍ର କରିବ ।
ଏହି ପ୍ରତିବାଦରେ ବରିଷ୍ଠ ବିଜେଡି ନେତା ଡ. ଅରୁଣ କୁମାର ସାହୁ, ଶ୍ରୀ ସୁଦାମ ମାରାଣ୍ଡି, ଶ୍ରୀ ଅତନୁ ସବ୍ୟସାଚୀ ନାୟକ, ଶ୍ରୀ ପ୍ରଦୀପ ମାଝୀ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ଏବଂ ଶ୍ରୀମତୀ ବର୍ଷା ସିଂହ ବରିହା, ତଥା ସୁନ୍ଦରଗଡ଼ ବିଧାୟକ ଓ ଜିଲ୍ଲା ସଭାପତି ଶ୍ରୀ ଯୋଗେଶ ସିଂହଙ୍କ ସମେତ ସୁକାନ୍ତ ପତି, କାଶୀନାଥ ରାଉତ, ସୁନୀଲ ପାଟ୍ଯୋଶୀ, କୁନ୍ତି ପ୍ରଧାନ, ପ୍ରଫୁଲ୍ଲ ସନ୍ୟାନୀ, କଳାକାହ୍ନୁ ମେହେର, ଉଦିତ୍ ସେଠ୍, ମହିମା ସେଠ୍, ଅଶ୍ୱୀନ କୁମାର ନାଏକ, ମଂଜୁ ମଲ୍ଲିକ, ଅମୀୟ ପ୍ରଧାନ, ସୋଭନ ଦାସ, କୁନ୍ତି ପ୍ରଧାନ, ଗୋପାଳ ପ୍ରଧାନ, ଜନନୀ କେରକେଟ୍ଟା, ମନୋଜ ବରୁଆ, ଜୟନାରାୟଣ ତି୍ରପାଠୀ, ସୁମନ୍ତ ପଣ୍ଡା, ଅନୀଲ ମହାପାତ୍ର, ସୁନୀଲ ମହାପାତ୍ର, ଜିଲ୍ଲା ଓ ସ୍ଥାନୀୟ ସ୍ତରର ଅନ୍ୟାନ୍ୟ ନେତାମାନେ ନେତୃତ୍ୱ ନେଇଥିଲେ ଏବଂ ଉଦବୋଧନ ଦେଇଥିଲେ ।

Leave a Reply

Your email address will not be published. Required fields are marked *