ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଶିଶୁ ଅପହରଣ, ନିର୍ଯାତନା, ଯୌନ ଉତ୍ପୀଡ଼ନ ଓ ହତ୍ୟା ଘଟଣା ଅହେତୁକ ବୃଦ୍ଧି ପାଇଥିବା ବେଳେ ପୋଲିସ ପ୍ରଶାସନ ଏହାକୁ ନିୟନ୍ତ୍ରଣ କ୍ଷେତ୍ରରେ ଉଦାସୀନ ରହିବା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର କାର୍ଯ୍ୟକ୍ରମ ରୂପାୟନ କମିଟିର ଆବାହକ ଶ୍ରୀ ସଞ୍ଜୟ ଦାସବର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ, ବିଜେଡିର ପୁରୀ ଜିଲ୍ଲା ସଭାପତି ପୂର୍ବତନ ବିଧାୟକ ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ ଓ ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।
ଶ୍ରୀ ଦାସବର୍ମା କହିଥିଲେ, ରାଜ୍ୟରେ ପ୍ରତିଦିନ ଶିଶୁ ଅପହରଣ, ନିର୍ଯାତନା, ହତ୍ୟା ଇତ୍ୟାଦି ସହିତ ଆଦିବାସୀ ଛାତ୍ରାବାସରେ ଯୌନ ଉତ୍ପୀଡ଼ନ ଘଟଣା ଖବରକାଗଜରେ ଶିରୋନାମା ମଣ୍ଡନ କରୁଛି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଆଡ଼କୁ ଅଙ୍ଗୁଳି ନିଦେ୍ର୍ଦଶ କରୁଛି । ଏଭଳି ସମ୍ୱେଦନଶୀଳ ଘଟଣା ଗୁଡିକରେ, ପୋଲିସର ଉଦାସୀନ ଆଭିମୁଖ୍ୟ ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ରାଜ୍ୟରେ କୁଚିଣ୍ଡା, ରାଉରକେଲା, ମୟୂରଭଞ୍ଜ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ଦୁଷ୍କର୍ମ, ଶିଶୁ ଅପହରଣ ଓ ହତ୍ୟା ଭଳି ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । କୁଚିଣ୍ଡା ଗଣଦୁଷ୍କର୍ମ ଘଟଣାରେ ସ୍ଥାନୀୟ ଜନସାଧାରଣ ସ୍ୱର ଉତ୍ତୋଳନ କରିବା ପରେ ଯାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା । ଭୁବନେଶ୍ୱର ଉପକଣ୍ଠରେ ହାଟ ଡେଲାଙ୍ଗର ରତନପୁର ଗାଁରେ ଗୋଟିଏ ୧୧ ବର୍ଷର ଶିଶୁ ନିରୁଦ୍ଧିଷ୍ଟ ହୋଇଯିବା ଘଟଣାରେ ପୋଲିସର କାଳକ୍ଷେପଣ ନୀତିକୁ ଆମେ ଦୃଢ଼ ନିନ୍ଦା କରୁଛୁ । ଗତ ୧୫ ତାରିଖରେ ଶିଶୁଟି ନିରୁଦ୍ଧିଷ୍ଟ ହୋଇଥିବା ବେଳେ ୨୦ ତାରିଖ ଦିନ ତାର ଶବ ଉଦ୍ଧାର କରାଯାଇଥିଲା । ପ୍ରଥମ ଦିନରୁ ପୋଲିସ ସଜାଗ ହୋଇଥିଲେ, ହୁଏତ ଶିଶୁଟିର ଜୀବନ ବଞ୍ଚି ଯାଇଥାନ୍ତା । ଅପହୃତ ପିଲାର ବାପା ତାଙ୍କ ପୁଅର ଅପହରଣରେ ଜଣେ ବ୍ୟକ୍ତି ସମ୍ପୃକ୍ତ ଥିବା ସନେ୍ଦହ କରି ପୋଲିସ ନିକଟରେ ପ୍ରକାଶ କରିଥିଲେ । ପୋଲିସ ସେହି ବ୍ୟକ୍ତିଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ଛାଡି ଦେଇଥିଲେ । ଏହା ପରେ ମଧ୍ୟ ଅପହୃତ ପିଲାର ଖୋଜ ଖବର ନମିଳିବା ଯୋଗୁଁ ହାଟ ଡେଲାଙ୍ଗ ରତନପୁର ଗ୍ରାମର ଗ୍ରାମବାସୀମାନେ ରାସ୍ତାରୋକ କରିଥିଲେ । ଦୁଃଖ ଓ ପରିତାପର ବିଷୟ ଯେ, ନ୍ୟାୟ ପାଇବା ପାଇଁ ରାସ୍ତାରୋକ କରିଥିବା ପ୍ରାୟ ୪୬ ଜଣ ଗ୍ରାମବାସୀଙ୍କ ନାମରେ ମାମଲା ରୁଜୁ କରିଛି, ଯାହାକୁ ଆମେ ଦୃଢ ନିନ୍ଦା କରୁଛୁ ବୋଲି ଶ୍ରୀ ଦାସବର୍ମା କହିଥିଲେ ।
ପୂର୍ବତନ ପିପିଲି ଡେଲାଙ୍ଗ ବିଧାୟକ ଶ୍ରୀ ରୁଦ୍ର ପ୍ରତାପ ମହାରଥୀ କହିଥିଲେ, ଚଳିତ ମାସ ୧୫ ତାରିଖରେ ଅପହରଣ ଘଟିଥିବା ବେଳେ ଅପହୃତ ଶିଶୁର ପିତା ଥାନାରେ ଏଫଆଇଆର ଦେବା ବେଳେ ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କ ସମ୍ପୃକ୍ତି ନେଇ ସେ ସନେ୍ଦହ କରୁଛନ୍ତି ବୋଲି ପୋଲିସ ଆଗରେ ପ୍ରକାଶ କରିଥିଲେ । ଏହାର ୩ ଦିନ ପରେ, ଅର୍ଥାତ ୧୮ ତାରିଖ ଦିନ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଡକାଇ ପଚରାଉଚରା କରିବା ପରେ ଛାଡି ଦେଇଥିଲା । ପରବର୍ତ୍ତୀ ସମୟରେ, ଅପହୃତ ଶିଶୁର ଶବ ଉଦ୍ଧାର ହେବା ପରେ, ସେହି ବ୍ୟକ୍ତିହିଁ ମୁଖ୍ୟ ଅଭିଯୁକ୍ତ ଓ ସେ ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ଜିଲ୍ଲା ଏସପି ସୂଚନା ଦେଇଥିଲେ । ସ୍ୱାଭାବିକ ଭାବେ ଏଠାରେ ପ୍ରଶ୍ନ ଉଠୁଛି ଯେ, କାହା ଚାପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରିବା ପରେ ଛାଡି ଦେଇଥିଲା ? ତାଛଡ଼ା, ନ୍ୟାୟ ପାଇଁ ରାସ୍ତାରୋକ କରିବାକୁ ବାଧ୍ୟ ହୋଇଥିବା ଗ୍ରାମବାସୀଙ୍କ ନାଁରେ ପୋଲିସ କେସ ଦେବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ମହାରଥୀ ପ୍ରଶ୍ନ କରିଥିଲେ । ମୃତ ଶିଶୁର ପରିବାରକୁ ରାଜ୍ୟ ସରକାର ଏକ କୋଟି ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ କରନ୍ତୁ ଓ କେଉଁ କାରଣରୁ ପୋଲିସ ତଦନ୍ତରେ ଅବହେଳା ହୋଇଥିଲା ତାହାର ମଧ୍ୟ ତଦନ୍ତ ହେଉ ବୋଲି ଶ୍ରୀ ମହାରଥୀ କହିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଜେ ଗୃହ ବିଭାଗର ଦାୟିତ୍ୱରେ ଥିବାରୁ, ସେ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବା ସହିତ ଆବଶ୍ୟକ ତଦନ୍ତର ନିଦେ୍ର୍ଦଶ ଦିଅନ୍ତୁ ବୋଲି ଶ୍ରୀ ମହାରଥୀ କହିଥିଲେ ।
ଆଜି ବିଜେଡିର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଧାୟକ ସର୍ବଶ୍ରୀ ଶ୍ରୀ ତୁଷାରକାନ୍ତି ବେହେରା, ଶ୍ରୀ ସୁଶାନ୍ତ ରାଉତ, ଶ୍ରୀ ନବକିଶୋର ମଲ୍ଲିକ, ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ, ପୁରୀ ଜିଲ୍ଲା ସଭାପତି ଶ୍ରୀ ଉମାକାନ୍ତ ସାମନ୍ତରାୟ, ପୂର୍ବତନ ବିଧାୟକ ଶ୍ରୀ ରୁଦ୍ର ମହାରଥୀ, ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇ, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶ୍ରୀ ସ୍ୱାଧୀନ ନାୟକ, ଶ୍ରୀ ସୁବ୍ରତ ଛାଟୋଇ, ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ କୁଞ୍ଜଲତା ସାମଲ ପ୍ରମୁଖ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ରତନପୁର ଗ୍ରାମକୁ ଯାଇ ମୃତକଙ୍କ ପରିବାରବର୍ଗକୁ ଭେଟି ଗଭୀର ସମବେଦନା ଜଣାଇଥିଲେ । ଏହା ସହିତ ଫାଷ୍ଟଟ୍ରାକ କୋର୍ଟରେ ଏହି ଘଟଣାର ବିଚାର କରାଯାଇ ଦୋଷୀକୁ କଠୋର ଦଣ୍ଡ ବିଧାନ କରାଯାଉ ଏବଂ ମୃତକଙ୍କ ପରିବାରବର୍ଗଙ୍କୁ ୧ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ । ସେହିଭଳି ଡେଲାଙ୍ଗ ଅଞ୍ଚଳରେ ବୃଦ୍ଧି ପାଉଥିବା ଅବୈଧ ନିଶା କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରାଯାଉ ବୋଲି ବିଜେଡି ଟିମ୍ ଦାବି କରିଥିଲେ ।
2025-04-24

