ପୀଡିତାଙ୍କୁ ନ୍ୟାୟ ନମିଳିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ତାଳଚେରରେ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ପୀଡିତାଙ୍କୁ ନ୍ୟାୟ ଦାବିରେ କଣିହାଁ ବ୍ଲକ ବାଲିପସି ପଞ୍ଚାୟତରେ ଆଜି ପହଞ୍ଚିଲା ବିଜେଡ଼ିର ୫ ଜଣିଆ ମହିଳା ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ । ୨୩ ବର୍ଷୀୟ ଦଳିତ ଯୁବତୀଙ୍କୁ ଏପ୍ରିଲ ୨୬ ତାରିଖରେ ତାଳଚେର ରେଳ ଷ୍ଟେସନ ପାଖରୁ ଅପହରଣ କରି ବଳାକ୍ରାର ଓ ହତ୍ୟା କରିବା ପରେ ଏସିଡ୍ ପକାଇ ଶବକୁ ଜଳାଇଦେବାର ଜଘନ୍ୟ ନାରକୀୟ କାଣ୍ଡ ଘଟିଥିଲା । ବିଜୁ ଜନତା ଦଳ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଉକ୍ତ ଗ୍ରାମ ଗସ୍ତ କରି ପୀଡିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହିତ, ଅନୁଗୋଳ ଡିଆଇଜି ଏବଂ ଏସ୍ପିଙ୍କୁ ଭେଟି ଘଟଣାର ସଠିକ୍ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ ।
ଏହି ପ୍ରତିନିଧି ମଣ୍ଡଳରେ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ମାନ୍ୟବର ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀମତୀ ଲେଖାଶ୍ରୀ ସାମନ୍ତ ସିଂହାର, ଅନୁଗୋଳ ଜିଲ୍ଲା ସଭାପତି ତଥା ତାଳଚେର ବିଧାୟକ ଶ୍ରୀଯୁକ୍ତ ବ୍ରଜକିଶୋର ପ୍ରଧାନ, ପୂର୍ବତନ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ ବେହେରା, ଶ୍ରୀଯୁକ୍ତ ମୁକେଶ କୁମାର ପାଳ, ଶ୍ରୀଯୁକ୍ତ ରଜନୀକାନ୍ତ ସିଂ, ରାଜ୍ୟ ମୁଖପାତ୍ର ଶ୍ରୀଯୁକ୍ତ ସଂଗ୍ରାମ ମହାପାତ୍ର, କଣିହାଁ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାମକୃଷ୍ଣ ପ୍ରଧାନ, ଉପାଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପ୍ରଧାନ, ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରଞ୍ଜନ ସାହୁ, ଶ୍ରୀଯୁକ୍ତ ବଭୃ ପ୍ରସାଦ ପତି, ସୁଶ୍ରୀ ରିତା ରାଣୀ ଦାସ, ଶ୍ରୀଯୁକ୍ତ ଗୋପାଳ ନାଏକ, ଅନୁଗୁଳ ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, ବଅଁରପାଳ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ନାଥ, ଅନୁଗୋଳ ବାର ଆସୋସିଏସନ୍ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ନେତା ମାନେ ସାମିଲ ଥିଲେ ।
ଘଟଣାକୁ ୧୧ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି ଥିବାରୁ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲା ବିଜେଡି ଟିମ । ରାଜ୍ୟ ସରକାର ନାରୀକୁ ସଶକ୍ତ କରିବା ନେଇ ଡିଣ୍ଡିମ ପିଟୁଥିବା ବେଳେ ଆଜି ସାରା ରାଜ୍ୟରେ ମହିଳା ଦୁଷ୍କର୍ମ ଓ ହତ୍ୟାର ଶିକାର ହେଉଛନ୍ତି । ପୋଲିସ ପୀଡିତା ପରିବାର ଲୋକଙ୍କୁ ନ୍ୟାୟ ଦେବା ପରିବର୍ତ୍ତେ କିଭଳି ହଇରାଣ କରିଥିଲା ସେ ନେଇ ଆଜି ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଆଲୋଚନା କରିଥିଲା । ଆଗାମୀ ୨୪ ଘଣ୍ଟା ଭିତରେ ପୀଡିତାଙ୍କୁ ନ୍ୟାୟ ନମିଳିଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *