କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ତେନ୍ତଳାପଶି ଗାଁରେ ଜଣେ ୧୭ ବର୍ଷୀୟା ଆଦିବାସୀ ନାବାଳିକାଙ୍କୁ ଭୟଙ୍କର ଗଣଦୁଷ୍କର୍ମ ଓ ନିର୍ମମ ହତ୍ୟା ହୋଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ସମସ୍ତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ପୀଡ଼ିତାଙ୍କ ପରିବାରକୁ ଭେଟି ସାନ୍ତ୍ୱନା ଜଣାଇବା ସହ କେନ୍ଦୁଝର ପୋଲିସ୍ ଏସ୍ପିଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଘଟଣା କେନ୍ଦୁଝର ଜିଲ୍ଲାବାସୀଙ୍କ ସମ୍ମାନକୁ ଗଭୀର ଆଘାତ ଦେଇଛି । ସମଗ୍ର ଜିଲ୍ଲାରେ ଯୁବତୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି । ମୃତ ୧୭ ବର୍ଷୀୟ ନାବାଳିକାର ପରିବାରକୁ ନ୍ୟାୟ ପ୍ରଦାନ ସହିତ ଆଇନ ଶୃଙ୍ଖଳା ପ୍ରତି ସାଧାରଣ ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ପୋଲିସ୍ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ବିଜେଡି ପ୍ରତିନିଧି ମଣ୍ଡଳୀ ।
ପୀଡ଼ିତାର ପରିବାରକୁ ସୁରକ୍ଷା ଯୋଗାଇ ଦେବା ସହ ନ୍ୟାୟିକ ସହଯୋଗ ପ୍ରଶାସନ ତରଫରୁ କରାଯାଉ । ବିଜୁ ଜନତା ଦଳ ଏହି ଘଟଣା ଉପରେ ନଜର ରଖିବା ସହିତ ପୀଡ଼ିତାର ପରିବାରକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ପୀଡ଼ିତାର ପରିବାର ସହିତ ଦୃଢ଼ ଭାବରେ ଛିଡ଼ା ହେବ ବୋଲି ପ୍ରତିଶ୍ରୁତି ଦେଇଛି । ଏହି ପ୍ରତିନିଧି ମଣ୍ଡଳୀରେ ପୂର୍ବତନ ବିଧାୟକ ଶ୍ରୀ ଧନୁର୍ଜୟ ସିଦ୍ଧୁ, ପୂର୍ବତନ ସାଂସଦ ଶ୍ରୀ ମାଧବ ସର୍ଦ୍ଦାର, ଶ୍ରୀ ଜଗନ୍ନାଥ ନାୟକ, ଶ୍ରୀମତୀ ମୀନା ମାଝୀ, ଶ୍ରୀ ଆଶିଷ ଚକ୍ରବର୍ତ୍ତୀ, ଶ୍ରୀମତୀ ସାଗରିକା ସାହୁ ଓ ଶ୍ରୀମତୀ ସୁନେଲି ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *