ଏଫ୍ଏମ୍ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତୁ୍ୟ ଘଟଣା: ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା
ବିଜୁ ଯୁବ ଓ ଛାତ୍ର ଜନତା ଦଳ

ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟରେ କଲେଜ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିର୍ଯାତନାର ଶିକାର ହୋଇ ନିଜ ଦେହରେ ନିଅାଁ ଲଗାଇ ଆତ୍ମାହୂତି ଉଦ୍ୟମ କରିଥିବା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଗତକାଲି ଏମ୍ସରେ ମୃତୁ୍ୟକୁ ନେଇ ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଉପରେ ବର୍ଷିଛି ବିଜୁ ଯୁବ ଓ ଛାତ୍ର ଜନତା ଦଳ ।
ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ବିଧାୟକ ବ୍ୟୋମକେଶ ରାୟ, ବିଧାୟକ ଦେବୀ ରଞ୍ଜନ ତି୍ରପାଠୀ, ଯୁବନେତା ଧୃତି ମାର୍ଥା, ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ସୌମ୍ୟାଶ୍ରୀଙ୍କ ମୃତୁ୍ୟ ସାରା ଓଡ଼ିଶାବାସୀଙ୍କୁ ସ୍ତବ୍ଧ କରିଛି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ପୋଲିସ୍ ପର୍ଯ୍ୟନ୍ତ କେହି ବି ସୌମ୍ୟାଶ୍ରୀଙ୍କ ଗୁହାରି ଶୁଣିଲେନି । ଗୋଟେ ଝିଅର ନିର୍ଯାତନାକୁ ଅଣଦେଖା କରି ଉତ୍ସବ ମନାଇବାରେ ବ୍ୟସ୍ତ ରହିଲେ ସରକାର । ମୃତୁ୍ୟ ପରେ ପୋଲିସ୍ ମାଧ୍ୟମରେ ମରଶରୀରକୁ ରାତିଅଧିଆ ପୁରୀ ନେଇ ଦାହ କରିବାକୁ ଯୋଜନା କରିଥିଲେ ସରକାର । ସୌମ୍ୟାଶ୍ରୀଙ୍କ ପରିବାର ଏବଂ ଯୁବ ଓ ଛାତ୍ର ବିଜେଡିର ତୀବ୍ର ପ୍ରତିବାଦ ଫଳରେ ସରକାର ବାଧ୍ୟ ହୋଇ ତାଙ୍କ ନିଜ ଗାଁ ପଳାସିଆକୁ ମରଶରୀର ନେଇଥିଲେ ।
ବିଧାୟକ ଶ୍ରୀ ରାୟ ଓ ଶ୍ରୀ ତ୍ରିପାଠୀ ଆହୁରି କହିଥିଲେ ଯେ, ସୌମ୍ୟାଶ୍ରୀଙ୍କ ପ୍ରତି ହୋଇଥିବା ଅବିଚାର ବିରୋଧରେ ଆଜିଠାରୁ ରାଜ୍ୟବ୍ୟାପୀ ଯୁବ ଓ ଛାତ୍ର ବିଜେଡି ରାଜରାସ୍ତାକୁ ଓହ୍ଲାଇଲା । ଏହି ଆନେ୍ଦାଳନ ତୀବ୍ରତର ହେବ ଓ ଯେଉଁମାନେ ସୌମ୍ୟାଶ୍ରୀଙ୍କୁ ସୁରକ୍ଷା ଦେବା ବଦଳରେ ମୃତୁ୍ୟ ମୁହଁକୁ ଠେଲି ଦେଇଛନ୍ତି, ସେମାନେ ଇସ୍ତଫା ଦେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁ ରହିବ । ଏଥିସହିତ ଛାତ୍ରୀଙ୍କ ପରିବାରକୁ ୨ କୋଟି ଟଙ୍କାର କ୍ଷତିପୂରଣ ଦିଆଯାଉ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ରାଜ୍ୟର ଯୁବ ଓ ଛାତ୍ର ସମାଜ ଏହି ଦୁର୍ବାର ଆନେ୍ଦାଳନରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ।
ମୁଖପାତ୍ର ଶ୍ରୀମତୀ ଇପ୍ସୀତା ସାହୁ କହିଥିଲେ, ସୌମ୍ୟାଶ୍ରୀ ଏବିଭିପିର ଜଣେ କର୍ମକର୍ତ୍ତା ଭାବେ କାର୍ଯ୍ୟ କରୁଥିଲେ, କିନ୍ତୁ ସେହି ସଂଗଠନର ଚକ୍ରାନ୍ତ ଲାଗି ତାଙ୍କୁ ଆତ୍ମାହୂତି ଦେବାକୁ ପଡ଼ିଲା । ସମଗ୍ର ଛାତ୍ର ସମାଜ ନିକଟରେ ଆଜି ଏବିଭିପିର ମୁଖା ଖୋଲିଯାଇଛି । ମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ, ସ୍ଥାନୀୟ ସାଂସଦ ଓ ବିଧାୟକ ଏହି ଘଟଣାରେ ଅବଗତ ଥାଇ ମଧ୍ୟ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ କରିନଥିବାରୁ, ଏହାର ତଦନ୍ତ ଦାୟିତ୍ୱ ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କୁ ଦିଆଯାଉ ।

Leave a Reply

Your email address will not be published. Required fields are marked *