ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାରେ ବିଜେଡିର ଲୋକସେବା ଭଵନ ଘେରାଉ: ପୋଲିସର ବର୍ବୋରଚିତ ଆକ୍ରମଣ ନିନ୍ଦନୀୟ: ବିଜେଡି

ଏଫଏମ କଲେଜ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ତାଙ୍କୁ ନ୍ୟାୟ ଦେବା ଦାବିରେ ବିଜୁ ଜନତା ଦଳ ତରଫରୁ ଆଜି ଲୋକସେବା ଭଵନ ଘେରାଉ କାର୍ୟ୍ୟକ୍ରମ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜିତ ହେଉଥିଲା ବେଳେ, ପୋଲିସ ଆକ୍ରମଣରେ ବିଜେଡି ବରିଷ୍ଠ ନେତାଙ୍କ ସମେତ ଶତାଧିକ ଆହତ ହୋଇଛନ୍ତି। ପୋଲିସ ଦ୍ୱାରା ପାଣି ମରାଯିବା ସହିତ, ଲୁହବୁହା ଗ୍ୟାସ ଓ ରବର ବୁଲେଟ ମରାଯାଇଥିଲା, ଯେଉଁଥିରେ ବିଜେଡି ନେତା ଶ୍ରୀ ପ୍ରଣବ ପ୍ରକାଶ ଦାସ, ଶ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ ଓ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନ୍ୟାୟ ଦାବିରେ, ବିଜୁ ଜନତା ଦଳ ତରଫରୁ ଦିଆ ଯାଇଥିବା ଲୋକସେବା ଭଵନ ଘେରାଉ ଡାକରାରେ ଆଜି ଯେଉଁଥିରେ ଦଳର ବରିଷ୍ଠ ନେତା ମାନଙ୍କ ସହିତ ଦଳର ହଜାର ହଜାର କର୍ମୀ ସାମିଲ ହୋଇଥିଲେ। ମାଷ୍ଟର କ୍ୟାଣ୍ଟିନ ଛକ ଠାରୁ ପିଏମଜି ଛକ ପର୍ୟ୍ୟନ୍ତ ବିଜେଡି କର୍ମୀମାନେ ଏକଜୁଟ ହୋଇ ମୋହନ ସରକାରଙ୍କ ବିରୋଧରେ ନାରା ଦେବା ସହିତ ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ଦିଆଯାଉ ବୋଲି ଦାବି କରିଥିଲେ। ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିହିତ କରି ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଦାବୀ କରିଥିଲେ। ଲୋକସେବା ଭଵନ ଘେରାଉ କାର୍ୟ୍ୟକ୍ରମ ଗଣତାନ୍ତ୍ରିକ ଭାବେ ଶାନ୍ତି ଶୃଙ୍ଖଳା ସହିତ ଚାଲିଥିବା ବେଳେ, ହଠାତ କର୍ମୀ ମାନଙ୍କ ଉପରକୁ ପାଣି ମାଡ଼ କରା ଯାଇଥିଲା। ପାଣିମାଡ଼କୁ ଖାତିରି ନକରି ପ୍ରତିବାଦକାରୀ ମାନେ କାର୍ୟ୍ୟକ୍ରମ ଜାରି ରଖିଥିଲେ। ଏହା ପରେ, ଆନ୍ଦୋଳନକାରୀ ମାନଙ୍କୁ ଘଉଡ଼ାଇବା ଉଦ୍ଦେଶ୍ୟରେ ପୋଲିସ ତରଫରୁ ଲୁହବୁହା ଗ୍ୟାସ ଓ ରବର ବୁଲେଟ ମରା ଯାଇଥିଲା। ପରେ ଉପସ୍ଥିତ ବରିଷ୍ଠ ନେତୃତ୍ୱଙ୍କ ସମେତ ଶତାଧିକ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରି ଘଟଣା ସ୍ଥଳରୁ ଉଠାଇ ନେଇଥିଲା।
ବିଜେଡି ତରଫରୁ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କାର୍ୟ୍ୟକ୍ରମ ଆୟୋଜିତ ହେଉଥିବା ବେଳେ ପୋଲିସର ମାତ୍ରାଧିକ କାର୍ୟ୍ୟକଳାପକୁ ବିଜେଡି ତରଫରୁ ଦୃଢ଼ ନିନ୍ଦା କରା ଯାଇଛି। ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ସୌମ୍ୟାଶ୍ରୀଙ୍କ ଆତ୍ମହୁତି ଘଟଣା ସମଗ୍ର ରାଜ୍ୟବାସୀଙ୍କ ମନରେ ଗଭୀର ଆଲୋଡନ ସୃଷ୍ଟି କରିଛି। ଦୀର୍ଘ ଛଅ ମାସ ଧରି ସୌମ୍ୟାଶ୍ରୀ ନ୍ୟାୟ ପାଇବା ପାଇଁ କଲେଜ ଅଧ୍ୟକ୍ଷ, ଏସପି, ବିଧାୟକ, ସାଂସଦ, ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷା ବିଭାଗର ଉଚ୍ଚ ଅଧିକାରୀ ମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିଲା, ଯାହାଯୋଗୁ ସେ ଆତ୍ମହୁତି ଭଳି ଚରମ ପଦକ୍ଷେପ ନେଇଥିଲା। ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନରେ ବିଫଳ ରାଜ୍ୟ ସରକାର ଆନ୍ଦୋଳନରେ ରାଜ୍ୟବାସୀଙ୍କ ଆକ୍ରୋଶରେ ଭୟଭୀତ ହୋଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ଲୋକଙ୍କ ଉପରେ ପୋଲିସ ବର୍ବୋରଚିତ ଆକ୍ରମଣ କରିଛି। କିନ୍ତୁ, ପୋଲିସ ଆକ୍ରମଣରେ, ଏହି ଆନ୍ଦୋଳନ ବନ୍ଦ ହେବ ନାହିଁ, ବରଂ ଆହୁରି ତୀବ୍ର ହେବ। ସୌମ୍ୟାଶ୍ରୀଙ୍କ ପରିବାରକୁ ନ୍ୟାୟ ମିଳିବା ପର୍ୟ୍ୟନ୍ତ ବିଜେଡି ଆନ୍ଦୋଳନ ଜାରି ରଖିବ ବୋଲି ଶ୍ରୀ ମିଶ୍ର କହିଛନ୍ତି। ଦଳର ସଭାପତିଙ୍କ ଆହ୍ବାନ କ୍ରମେ ଦଳର ସମସ୍ତ ବରିଷ୍ଠ ନେତା, ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ବିଧାୟକ, ମେୟର, କର୍ପୋରେଟର, ଦଳର ସମସ୍ତ ଛାମୁଆ ସଂଗଠନ ଯଥା ଯୁବ ଛାତ୍ର, ସଂଖ୍ୟାଲଘୁ, ଏସସି ସେଲ, ଏସଟି ସେଲ, କୃଷକ ସେଲ ଓ ଅନ୍ୟ କର୍ମକର୍ତ୍ତାଗଣ, ଶୁଭେଛୁ ଓ ସାଧାରଣ ବ୍ୟକ୍ତିବିଶେଷ ସାମିଲ ଥିଲେ।

Leave a Reply

Your email address will not be published. Required fields are marked *