ଏସ୍ଆଇଆର ପ୍ରକିୟା ନେଇ ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ନୂତନ ଭୋଟର ନାମ ଯୋଡ଼ା (ଫର୍ମ-୬) ଏବଂ ଅନ୍ୟ ରାଜ୍ୟରୁ ଭୋଟର ତାଲିକାକୁ ସ୍ଥାନାନ୍ତର (ଫର୍ମ-୮) ପାଇଁ ଆବଶ୍ୟକ ଘୋଷଣାନାମା ଫର୍ମ ଓ ଆବଶ୍ୟକ ହେଉଥିବା ଅତିରିକ୍ତ ତଥ୍ୟକୁ ସରଳୀକରଣ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
ବିଜେଡି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟର ବିଭିନ୍ନ ରାଜନୈତିକ ଦଳ, ବୁଥ୍ ଲେଭଲ୍ ଏଜେଣ୍ଟ ଓ ସାଧାରଣ ଜନତାଙ୍କ ପାଖରୁ ଅନେକ ଆପତ୍ତି ଅଭିଯୋଗ ଆସିଛି । ବର୍ତ୍ତମାନର ପ୍ରକ୍ରିୟା ଅନାବଶ୍ୟକ ଭାବେ ଜଟିଳ ହୋଇପଡ଼ିଛି ବୋଲି ଅଭିଯୋଗ କରିଛନ୍ତି । ବିଶେଷ କରି ଗ୍ରାମାଞ୍ଚଳ, ଦୂରଦୂରାନ୍ତ ଅଞ୍ଚଳ, ବୃଦ୍ଧବୃଦ୍ଧା, ଦିବ୍ୟାଙ୍ଗ, ଛାତ୍ରଛାତ୍ରୀ, ପ୍ରବାସୀ ଶ୍ରମିକ ଏବଂ ସମାଜର ଦୁର୍ବଳ ବର୍ଗର ଲୋକଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରିଛି । ନିର୍ବାଚନ ରୋଲର ବିଶୁଦ୍ଧତା ଓ ନିରପକ୍ଷତା ବଜାୟ ରଖିବା ଆବଶ୍ୟକ ଅଟେ । କିନ୍ତୁ ଉକ୍ତ ପ୍ରକ୍ରିୟା ଅଧିକ ଜଟିଳ ହେବା ଦ୍ୱାରା ଯୋଗ୍ୟ ନାଗରିକ ମାନେ ଭୋଟର ତାଲିକାରୁ ବାଦ ପଡି ନିଜର ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି । ନିର୍ବାଚନ ପଞ୍ଜୀକରଣ ପ୍ରକ୍ରିୟାକୁ ସରଳ, ସ୍ୱଚ୍ଛ, ଅନ୍ତର୍ଭୁକ୍ତିମୂଳକ ଓ ସମସ୍ତଙ୍କ ପାଇଁ ଉପଲବ୍ଧ କରିବା ଦରକାର ବୋଲି ମତପ୍ରକାଶ କରିଛନ୍ତି । ଏସଆଇଆର ପ୍ରକିୟାରୁ ଭୋଟର ମାନେ ତାଲିକାରୁ ବାଦ୍ ପଡିଥିବାର ସ୍ୱୀକାର କରିଛନ୍ତି । ଏସଆଇଆର ପୂର୍ବରୁ ମଇ ୧୪ ତାରିଖରେ ୩ କୋଟି ୪୦ ଲକ୍ଷ ୭୨ହଜାର ୭୪୪ଜଣ ଭୋଟର ଥିଲେ । କିନ୍ତୁ ମଇ ୧୫ରେ ରାଜନୈତିକ ଦଳ ମାନଙ୍କ ସହ ରାଜ୍ୟ ମୂଖ୍ୟ ନିର୍ବାଚନ ଅଧିକାରୀ ବୈଠକ ସମୟରେ ଭୋଟର ସଂଖ୍ୟା ୩କୋଟି ୩୪ଲକ୍ଷ ୫ହଜାର ୪୮୭ଜଣ ବୋଲି କହିଥିଲେ । ଏସଆଇଆର ଆରମ୍ଭ ବେଳକୁ ରାଜ୍ୟରେ ୩କୋଟି ୩୩ଲକ୍ଷ ୯୯ହଜାର ୫୯୧ଜଣ ଭୋଟର ଅଛନ୍ତି ବୋଲି କହିଥିଲେ । ତେବେ ପ୍ରକାଶିତ ଭୋଟର ତାଲିକାରେ ୩ କୋଟି ୧୩ ଲକ୍ଷ ଭୋଟର ଅଛନ୍ତି । ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଅନୁଶୀଳନ କରିବା ୨୭ ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ୍ ପଡିଥିବାର ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି । ଏହାକୁ ସିଇଓ ସ୍ୱୀକାର କରିଛନ୍ତି । ୨୭ଲକ୍ଷ ନୁହେଁ ୩୧ଲକ୍ଷରୁ ଉଦ୍ଧ୍ୱର୍ ଭୋଟର ତାଲିକାରୁ ବାଦ ପଡିଛନ୍ତି ବୋଲି କହିଛନ୍ତି । ତେଣୁକରି ଦାବି ଉପସ୍ଥାପନ କରାଯାଇଛି । ଫର୍ମ-୬ ଓ ଫର୍ମ-୮ ସରଳୀକରଣ କରିବା, ଯାଞ୍ଚ ପାଇଁ କେବଳ ଜରୁରୀ କାଗଜ ପତ୍ର ମାଗିବା, ରାଜ୍ୟର ସମସ୍ତ ଇସିଆରଓ, ଏଇଆରଓ, ବିଏଲଓ ଏବଂ ନିର୍ବାଚନ ଅଧିକାରୀଙ୍କୁ ଯୋଗ୍ୟ ଭୋଟରଙ୍କୁ ଅନାବଶ୍ୟକ ହଇରାଣ ନ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି ।
ସେହିପରି ଏସଆଇଆର ପ୍ରକ୍ରିୟା ଅନ୍ତର୍ଗତ ଡ୍ରାଫ୍ଟ ନିର୍ବାଚନ ରୋଲ୍ ପ୍ରକାଶ ୧୦ଦିନ ବିତିଯାଇଥିବା ସତ୍ତ୍ୱେ ବିଏଲଓ, ବିଏଲଏ ଓ ସାଧାରଣ ଭୋଟରଙ୍କ ମଧ୍ୟରେ ଯଥେଷ୍ଟ ସଚେତନତା ସୃଷ୍ଟି ହୋଇନାହିଁ । ଏନେଇ ମଧ୍ୟ ବିଜେଡି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅଭିଯୋଗ ଜଣାଇଛନ୍ତି । ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା, ଭୁଲ୍ ସଂଶୋଧନ ଓ ଅଯୋଗ୍ୟ ନାମ କଟାଯିବା ପାଇଁ ଦାବି ଓ ଆପତ୍ତି ପ୍ରକ୍ରିୟା ବିଷୟରେ ଯଥେଷ୍ଟ ସଚେତନତା ନ ଥିବାରୁ ସମସ୍ୟା ସୃଷ୍ଟି ହେଉଛି । ଅନେକ ଭୋଟର, ବିଏଲଏ ଓ ହିତାଧିକାରୀ ଉକ୍ତ ପ୍ରକ୍ରିୟାରେ ଭାଗ ନେବାରେ ଅକ୍ଷମ ହୋଇପଡ଼ୁଛନ୍ତି । ଏହାସହିତ ଇଉନ୍ମ୍ୟାପିଂ ଲିଷ୍ଟ୍ ଓ ଆନୋମାଲି ଲିଷ୍ଟ୍ ବିଷୟରେ ମଧ୍ୟ ପର୍ଯ୍ୟାପ୍ତ ସୂଚନା ପ୍ରଦାନ କରାଯାଇ ନାହିଁ ବୋଲି ଅଭିଯୋଗ କରାଯାଇଛି । ଇନୁମେରେସନ୍ ପର୍ଯ୍ୟାୟରେ ଚିହ୍ନଟ ହୋଇଥିବା ଭୁଲ ଓ ଅସମ୍ପୂର୍ଣ୍ଣତା ଗୁଡ଼ିକୁ ଇସିଆରଓ, ଏଇଆରଓ ମାନେ ତୁରନ୍ତ ସଂଶୋଧନ କରୁନାହାନ୍ତି । ବିଏଲଓ ଓ ବିଏଲଏଙ୍କୁ ଦାବି ଆପତ୍ତି ପ୍ରକ୍ରିୟା ଉପରେ ପର୍ଯ୍ୟାପ୍ତ ତାଲିମ୍ ଓ କ୍ୟାପାସିଟି ବିଲ୍ଡିଂ କରାଯାଇନାହିଁ । ଅନେକ ବୁଥ୍ରେ ଫର୍ମ-୬, ଫର୍ମ-୮ ଆଦି ଆବଶ୍ୟକୀୟ ଫର୍ମ ଉପଲବ୍ଧ ନଥିବାରୁ ଭୋଟର ମାନେ ଆବେଦନ କରିପାରୁ ନାହାନ୍ତି । ଏହାସହିତ ବିଏଲଓ ଆପ୍ ବାରମ୍ୱାର କ୍ରାସ୍ ହେଉଥିବା, ଧୀରେ ଲୋଡ୍ ହେଉଥିବା ଓ ଡାଟା ଅପଲୋଡ୍ ସମସ୍ୟା ହେଉଥିବା ନେଇ ଅଭିଯୋଗ କରିଛନ୍ତି ।
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସିଆଲ୍ “ୱେବସାଇଟ୍ରେ ମଧ୍ୟ ଟେକ୍ନିକାଲ୍ ସମସ୍ୟା ରହିଛି ବୋଲି ବିଜେଡି ଉଲ୍ଲେଖ କରିଛି । ଏନେଇ ଦାବି ଉପସ୍ଥାପିତ କରିଛନ୍ତି । ଇଉନ୍ମ୍ୟାପିଂ ଲିଷ୍ଟ୍ ଓ ଆନୋମାଲି ଲିଷ୍ଟ୍ ବିଷୟରେ ବିଏଲଓ, ବିଏଲଏ ଓ ଭୋଟରଙ୍କ ମଧ୍ୟରେ ତୁରନ୍ତ ସଚେତନତା ପ୍ରଚାର କରିବା, ଇନୁମେରେସନ୍ ପର୍ଯ୍ୟାୟର ଭୁଲ୍ ଓ ଅସମ୍ପୂର୍ଣ୍ଣତା ଗୁଡ଼ିକୁ ସମୟ ସୀମା ମଧ୍ୟରେ ସଂଶୋଧନ କରିବା ପାଇଁ ସମସ୍ତ ଇସିଆରଓ ଓ ଏଇଆରଓଙ୍କୁ ନିଦେ୍ର୍ଦଶ ଦେବା, ଦାବି ଓ ଆପତ୍ତି ପ୍ରକ୍ରିୟା ଉପରେ ବିଏଲଓ ଓ ବିଏଲଏଙ୍କ ପାଇଁ ବିସ୍ତୃତ ତାଲିମ କାର୍ଯ୍ୟକ୍ରମ, ଗଣମାଧ୍ୟମ ଓ ସୋସିଆଲ୍ ମିଡିଆ ଓ ଫିଲ୍ଡ ସ୍ତରରେ ଭୋଟର ସଚେତନତା ଅଭିଯାନ କରିବା, ଫିଲ୍ଡ୍ କାର୍ଯ୍ୟକ୍ରମର କଡ଼ା ନିରୀକ୍ଷଣ ଯାହା ଦ୍ୱାରା କୌଣସି ଯୋଗ୍ୟ ଭୋଟର ବଞ୍ଚିତ ନ ହୁଅନ୍ତି, ଦାବି-ଆପତ୍ତିର ସମୟଯୋଗ୍ୟ ନିଷ୍ପତ୍ତି ପାଇଁ ସ୍ପଷ୍ଟ ନିର୍ଦେଶାବଳୀ ଜାରି କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି । ମୁକ୍ତ, ନିରପେକ୍ଷ, ସ୍ୱଚ୍ଛ ଓ ଅନ୍ତର୍ଭୁକ୍ତ ମୂଳକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବାକୁ ବିଜେଡି ପକ୍ଷରୁ କୁହାଯାଇଛି । ଅଯୋଗ୍ୟ ଭୋଟର ତାଲିକାରୁ ବାଦ ପଡନ୍ତୁ କିନ୍ତୁ କେହି ଜଣେ ଯୋଗ୍ୟ ଭୋଟର ତାଲିକାରୁ ବାଦ ନପଡ଼ନ୍ତୁ ବୋଲି କୁହାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତୁରନ୍ତ ହସ୍ତକ୍ଷେପ କରି ଯୋଗ୍ୟ ଭୋଟର ତାଙ୍କ ଅଧିକାର ପ୍ରଦାନ କରନ୍ତୁ ବୋଲି କୁହାଯାଇଛି । ଉକ୍ତ ପ୍ରତିନିଧି ମଣ୍ଡଳୀରେ ବରିଷ୍ଠ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର, ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରଣବ ବଳବନ୍ତରାୟ, ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ ନାୟକ, ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଅମଞ୍ଜିତ୍ ସେନାପତି, ଉପସଭାପତି ନୀଳାଦ୍ରି ମହାନ୍ତି, ଉପସଭାପତି ମନୋଜ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ।
2026-07-15

