ତ୍ରୁଟିଶୂନ୍ୟ ବହି ଛାତ୍ରଛାତ୍ରୀ ମାନଙ୍କୁ କେବେ ପ୍ରଦାନ କରାଯିବ ତାର ସ୍ପଷ୍ଟୀକରଣ ଦିଅ: ବିଜେଡି

ପ୍ରଥମରୁ ଅଷ୍ଟମ ଶ୍ରେଣୀର ବହିରେ ବ୍ୟାପକ ତ୍ରୁଟି ହେବାକୁ ନେଇ ସରକାର କ୍ରାଇମବ୍ରାଞ୍ଚକୁ ତଦନ୍ତ କରିବାକୁ ଦେଇଥିବା ବେଳେ ଆଜି ବିଜେପି ତରଫରୁ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରିଛନ୍ତି । ଏହି ଘଟଣା ପ୍ରାୟ ଏକମାସ ହୋଇ ଯାଇଥିବା ବେଳେ ଓ ଏହାକୁ ନେଇ ବିଭିନ୍ନ ସ୍ତରରୁ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜେପି ତରଫରୁ ପ୍ରଥମ ଥର ପାଇଁ ଆଜି ପ୍ରତିକ୍ରିୟା ଦେଇ ପ୍ରକାଶିତ ବହିରେ ତ୍ରୁଟି ଥିବା କଥା ସ୍ୱୀକାର କରାଯାଇଛି । ବିଜେପିର ଏହି ପ୍ରତିକ୍ରିୟା ଉପରେ ବିଜୁ ଜନତା ଦଳ ବିଜେପି ଓ ରାଜ୍ୟ ସରକାରକୁ ଘେରିଛି ।
ଶଙ୍ଖ ଭବନରେ ଆଜି ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ.ଲେନିନ ମହାନ୍ତି କହିଥିଲେ, ପିଲାମାନଙ୍କ ବହିରେ ବ୍ୟାପକ ତ୍ରୁଟି ଥିବା କଥାକୁ ବିଜେପି ପ୍ରବକ୍ତା ବିଳମ୍ୱରେ ହେଲେ ମଧ୍ୟ ସ୍ୱୀକାର କରିଥିବାରୁ ଆମେ ତାଙ୍କୁ ସାଧୁବାଦ ଦେଉଛୁ । କିନ୍ତୁ, ତ୍ରୁଟି ସଂଶୋଧନ କରି ନୂତନ ପୁସ୍ତକ ପିଲା ମାନଙ୍କୁ କେବେ ପ୍ରଦାନ କରାଯିବ, ସେନେଇ ପ୍ରବକ୍ତା ମହୋଦୟ କୌଣସି ସୂଚନା ଦେଇ ନାହାନ୍ତି । ତେଣୁ ପିଲା ମାନଙ୍କୁ କେବେ ତ୍ରୁଟିଶୂନ୍ୟ ବହି ଯୋଗାଇ ଦିଆଯିବ ତାର ସୂଚନା ତୁରନ୍ତ ପ୍ରବକ୍ତା ଦିଅନ୍ତୁ ବୋଲି ଡ.ମହାନ୍ତି ଦାବି କରିଛନ୍ତି ।
ସେ କହିଥିଲେ, ପ୍ରବକ୍ତା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଯେ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି ଓ ଏଥିରେ ସମ୍ପୃକ୍ତ ବାବୁ ମାନଙ୍କୁ ଛଡ଼ାଯିବ ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଯେ, କେବଳ ବାବୁ ମାନେ କାହିଁକି, ଏଥିରେ ସମ୍ପୃକ୍ତ ଅଣବାବୁ ମାନେ ଯଥା କୋର କମିଟିର ସଦସ୍ୟ ମାନେ ମଧ୍ୟ ସମପରିମାଣରେ ଦାୟୀ । ସେମାନଙ୍କ ସମ୍ପର୍କରେ ପ୍ରବକ୍ତା ମହୋଦୟ ନିରବ କାହିଁକି? ବହି ଓଡ଼ିଶାରେ ନା ଓଡିଶା ବାହାରେ ପ୍ରିଣ୍ଟ କରାଯାଇଛି ତାର ମଧ୍ୟ ସ୍ପଷ୍ଟୀକରଣ ଦେବା ଆବଶ୍ୟକ ରହିଛି । ଯଦି ଏହା ଓଡିଶା ବାହାରେ ପ୍ରିଣ୍ଟ କରାଯାଇଛି, ତାହେଲେ ପ୍ରଶ୍ନ ଉଠୁଛି ଯେ, ଓଡ଼ିଶାରେ କଣ ପ୍ରିଣ୍ଟିଂ ବ୍ୟବସ୍ଥା ନଥିଲା କି? ରାଜ୍ୟ ସରକାରଙ୍କ ପ୍ରିଣ୍ଟିଂ ହାଉସରେ ପ୍ରିଣ୍ଟ ନକରି ରାଜ୍ୟ ବାହାରର ଯଥା ଏକ ଗୁଜୁରାଟି ସଂସ୍ଥାକୁ ପ୍ରଦାନ କରିବା କାହା ନିଦେ୍ର୍ଦଶରେ ହୋଇଥିଲା, ତାହା ମଧ୍ୟ ଅନୁସନ୍ଧାନ ସାପେକ୍ଷ ।
ଡ ମହାନ୍ତି ଆହୁରି ମଧ୍ୟ କହିଥିଲେ, ବିଜେପି ବିରୋଧୀ ଦଳରେ ଥିବା ସମୟରେ ସମସ୍ତ ପ୍ରସଙ୍ଗରେ ସିବିଆଇ ତଦନ୍ତ ପାଇଁ ଦାବି କରୁଥିଲା । କିନ୍ତୁ, ଏବେ ସିବିଆଇ ଅପେକ୍ଷା କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଅଧିକ ଭରସା କରୁଛନ୍ତି । କିନ୍ତୁ ପ୍ରଶ୍ନ ଉଠୁଛି ଯେ, ଗତ ଦୁଇ ବର୍ଷରେ ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ଦେଇଥିବା ତଦନ୍ତ ନିଦେ୍ର୍ଦଶ ମଧ୍ୟରୁ କୌଣସି ଗୋଟିଏ ମାମଲାରେ ଏପର୍ଯ୍ୟନ୍ତ ରିପୋର୍ଟ ଆସିପାରି ନାହିଁ ।

Leave a Reply

Your email address will not be published. Required fields are marked *